ସକରାତ୍ମକ ଭାବନାରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ- ଶ୍ରେୟସ୍

Published By : Prameya-News7 Bureau | December 21, 2019 IST

କଟକ ୨୧।୧୨:  ବାରବାଟୀ ଲଢେଇ ପୂର୍ବରୁ ଗ୍ରାଉଣ୍ଡରେ ଅଭ୍ୟାସ କରିଛି ଭାରତୀୟ କ୍ରିକେଟ୍‌ ଟିମ୍  । ୱେଷ୍ଟଇଣ୍ଡିଜ ବିପକ୍ଷରେ ସକରାତ୍ମକ ମନୋଭାବ ନେଇ ଖେଳିବେ ବୋଲି ଆଶା ରଖିଛନ୍ତି ମେନ୍ ଇନ୍ ବ୍ଲୁ । ଅଭ୍ୟାସ ପାଇଁ ଆଜି ସକାଳେ ଭୁବନେଶ୍ବରର ହୋଟେଲ ମେ' ଫେୟାରରୁ ବିରାଟ ବାହିନୀ ବସରେ ବାରବାଟୀ ଅଭିମୁଖେ ବାହାରିଥିଲେ । କଡା ସୁରକ୍ଷା ବଳୟ ଭିତରେ ଖେଳାଳିମାନେ ଭୁବନେଶ୍ବରରୁ କଟକ ଯାଇଥିଲେ । ଖେଳାଳିଙ୍କ ସୁରକ୍ଷା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପାଖପାଖି ୩ ବର୍ଷ ପରେ ବାରବାବାଟୀରେ ମ୍ୟାଚ ଖେଳା ଯାଉଥିବା ଓଡିଶାର କ୍ରିକେଟ୍ ପ୍ରେମୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା । ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଯେତିକି ଉତ୍ସାହ ତାଠାରୁ ବେଶୀ ଉତ୍ସାହ ଖେଳାଳିଙ୍କୁ ଟିକିଏ ଦେଖିବା ଲାଗି ଆଉ ସେମାନଙ୍କ ସହ ଫଟୋ ଉଠାଇବା ଲାଗି । ସେଥିପାଇଁ ହୋଟେଲ ମେ' ଫେୟାର ଆଗରେ ଫ୍ୟାନସଙ୍କ ଭିଡ ଦେଖିବାକୁ ମିଳିଥିଲା । ଭାରତୀୟ ଖେଳାଳି ହୋଟେଲ ଭିତରୁ ବାହାରିବା ବେଳକୁ ହୋଟେଲ ଆଗରେ ଫ୍ୟାନମାନଙ୍କ ଭିଡ ଜମିଥିଲା । କିଛି ଫ୍ୟାନ ସୁଯୋଗ ପାଇ ମେନ୍ ଇନ୍ ବ୍ଲୁର ସଦସ୍ୟଙ୍କ ସହ ସେଲଫି ଉଠାଇଥିଲେ । କେବଳ ସେତିକି ନୁହେଁ ଟୁଇନ ସିଟିର ବିଭିନ୍ନ ଛକ ଦେଇ ବସ ଯିବା ବେଳେ ଖେଳାଳିମାନଙ୍କର ଟିକିଏ ଝଲକ ପାଇବାକୁ ରାସ୍ତାରେ ଅପେକ୍ଷା କରିଥିଲେ ପ୍ରଶଂସକ। ସକାଳେ ଭାରତୀୟ ଖେଳାଳି ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲେ ।  ପିଚ୍ ଏବଂ ଗ୍ରାଉଣ୍ଡର ସ୍ଥିତି ପରଖିଥିଲେ । କାହାକୁ ପିଚ ସୁହାଇବ ଆକଳନ କରିବା ସହ ବ୍ୟାଟିଂ, ବୋଲିଂ ଏବଂ ଫିଲଡିଂ ଅଭ୍ୟାସ କରିଥିଲେ ।

{"id":200616,"sizeSlug":"large"}

ବାରବାଟୀରେ ପ୍ରାକ୍ଟିସ ପରେ ଟିମ୍ ଇଣ୍ଡିଆ ତରଫରୁ ଶ୍ରେୟସ ଆୟାର ସାମ୍ବାଦିକ ସମ୍ମିଳନୀ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଥିଲେ । ଦଳର ଆବଶ୍ୟକତା ଅନୁସାରେ ଖେଳିବାକୁ ପଡିବ ।  ମୁଁ ପରିସ୍ଥିତି ଅନୁସାରେ ଯେ କୌଣସି ସ୍ଥାନରେ ଖେଳି ପାରିବି । ମୁଁ ମୋ ଖେଳ ଭଲ ଭାବରେ ଜାଣିଛି, ସେ ଅନୁସାରେ ଖେଳୁଛି ।  ଶେଷ ମ୍ୟାଚ୍‌ ଭଳି ବାରବାଟୀରେ ଖେଳିବୁ । ମ୍ୟାଚ୍‌ରେ କାକରର ପ୍ରଭାବ ରହିବ, ଆମେ ସେଥିପାଇଁ ପ୍ରସ୍ତୁତ । ଅଭ୍ୟାସ ସମୟରେ ଏତେ ସଂଖ୍ୟାରେ ଦର୍ଶକଙ୍କୁ ଦେଖି ଖୁସି ଲାଗୁଛି । ଡେ-ନାଇଟ୍ ମ୍ୟାଚରେ କାକରର ସ୍ଥିତି ନେଇ ଆମେ ପ୍ରସ୍ତୁତ ଥିବା କଥା ଶ୍ରେୟସ୍ କହିଛନ୍ତି । ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ସିରିଜିରେ ଉଭୟ ଟିମ୍ ୧-୧ ସ୍ଥିତିରେ ରହିଛନ୍ତି । ବାରବାଟୀରେ ବିଜୟୀ ଦଳ ହିଁ ସିରିଜରେ ହାତେଇବାରେ ସଫଳ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.