ବଜେଟ୍ ୨୦୨୧ରେ ଛାଇଗଲା ଭାରତ-ଅଷ୍ଟ୍ରେଲିଆ ସିରିଜ୍, ଟିମ୍ ଇଣ୍ଡିଆକୁ ଏମିତି ପ୍ରଶଂସା କଲେ ଅର୍ଥ ମନ୍ତ୍ରୀ ସୀତାରମଣ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧।୦୨:  ୨୦୨୦ରେ କରୋନା ଭାଇରସ୍‌ ଓ  ଲକ୍‌ଡାଉନ୍ ଯେବେ ଲୋକଙ୍କ ଜୀବନରେ ତାଲା ପକାଇ ଦେଇଥିଲା ଠିକ୍ ସେହି ସମୟରେ କ୍ରିକେଟ୍‌ ଲୋକଙ୍କ ଜୀବନରେ ସଞ୍ଜିବନୀ ପରି ଏଣ୍ଟ୍ରି କରିଥିଲା। ନିଜ ନିଜ ଘରେ ବନ୍ଦୀ ଜୀବନ ଅତିବାହିତ କରୁଥିବା ଲୋକଙ୍କ ମୁହଁରେ ପ୍ରଥମେ ଆଇପିଏଲ ଓ ପୁଣି ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ ଖୁସି  ଫୁଟାଇବାର ସୁଯୋଗ ଦେଇଥିଲା। ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍‌ ଦଳର ଐତିହାସିକ ବିଜୟକୁ ନିଜର ବଜେଟ୍ ଭାଷଣରେ ଉଲ୍ଲେଖ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ନିଜର ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବନିମ୍ନ ୩୬ ରନ ସ୍କୋରରେ ଅଲଆଉଟ୍ ହୋଇଥିଲା। ଦଳ ଉକ୍ତ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ଭୋଗିଥିଲା। ଏହା ପରେ ଦଳ ମେଲବୋର୍ଣ୍ଣ ଟେଷ୍ଟ ଜିତି ସିରିଜ୍‌କୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହା ପରେ ଶେଷ ଟେଷ୍ଟ ଜିତି ସିରିଜ୍ ନିଜ ନାଁରେ କରିଥିଲା। ବୋଧହୁଏ ଏହି କାରଣରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଭାଷଣରେ ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ ଉଲ୍ଲେଖ କରିଥିଲେ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ବଜେଟ୍ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଆମ ସମସ୍ତଙ୍କ ପାଇଁ ମୁସ୍କିଲ ଏବଂ ବାଧାବିଘ୍ନର ବର୍ଷ ରହିଥିଲା। ଭାରତୀୟ ଦୃଢତାର ସହ ଏହାର ମୁକାବିଲା କରିଛି। ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କରୋନା ଓ ଲକ୍‌ଡାଉନ୍‌ର ପ୍ରଭାବ ପଡିଥିଲା। ମାତ୍ର ଦେଶର ଅର୍ଥନୀତି ଏବେ ଗତିଶୀଳ ହେବାରେ ଲାଗିଛି। ସୀତାରମଣ କହିଛନ୍ତି ଅଷ୍ଟ୍ରେଲିଆରେ ଚମତ୍କାର ସଫଳତା ଆମକୁ ଦେଶବାସୀଙ୍କ ଅନ୍ତର୍ନିହିତ ଶକ୍ତିକୁ ସ୍ମରଣ କରାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.