ଗାଁକୁ ରାସ୍ତା ନାହିଁ ହେଲେ ଏରୋପ୍ଲେନ୍ରେ ପାଠପଢା- ମାଲକାନଗିରିରେ ଶିକ୍ଷୟତ୍ରୀଙ୍କର ଅଭିନବ ପ୍ରୟାସ
27/10/2019 at 4:30 PM

ମାଲକାନଗିରି – ଗାଁକୁ ସାଇକଲ ଯିବା ପାଇଁ ରାସ୍ତା ନାହିଁ ହେଲେ ମନରେ ରହିଛି ଉଡା ଜାହାଜରେ ଚଢିବାର ସ୍ବପ୍ନ । ବାସ୍ତବରେ ଏହା ହେଉ ବା ନହେଉ ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୁନି କୁନି ପିଲାଏ ହେଲେ ଏରୋ ପ୍ଲେନ୍ରେ ପାଠପଢୁଛନ୍ତି । ପିଲାଙ୍କର ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଶିକ୍ଷୟତ୍ରୀ ଏପରି ଅଭିନବ ଉପାୟର ସାହାରା ନେଇଛନ୍ତି ।

ଏୟାର ଇଣ୍ଡିଆର ଫ୍ଲାଇଟରେ ବିଦ୍ୟାଳୟକୁ ଯାଉଛନ୍ତି କୁନି କୁନି ପିଲାଏ । ଉଡା ଜାହାଜର ଗେଟ ଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଭିତରେ ପ୍ରବେଶ କରିବା ପରେ କରୁଛନ୍ତି ପ୍ରାର୍ଥନା ଆଉ ଏହା ପରେ ବିଦ୍ୟାଳୟରେ ଆରମ୍ଭ ହେଉଛି ପାଠ ପଢା । ସମସ୍ତ ପିରିଅଡ ଶେଷ ହେବା ପରେ ପୁଣି ପିଲାଏ ଇଣ୍ଡିଆର ଫ୍ଲାଇଟରୁ ବାହାରି ନିଜ ନିଜ ଘରକୁ ଯାଉଛନ୍ତି । ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

ଚାଲାଣଗୁଡା ଠାରେ ଥିବା କସ୍ତୁରବା ଗାନ୍ଧି ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବିଦ୍ୟାଳୟର ବାହାରି କାନ୍ଥରେ ଉଡା ଜାହାଜର ଚିତ୍ର ଅଙ୍କନ କରି ଏହାର ନାମ କରଣ କରିଛନ୍ତି ଏୟାର ଇଣ୍ଡିଆ । ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ନିକଟରେ ପାଇଲଟ ହୋଇ ଆକାଶରେ ବିମାନ ଉଡାଇବା ପରେ । ଅନ୍ୟ ଝିଅ ମାନେ ମଧ୍ୟ ଏବେ ଆକାଶରେ ଉଡିବାର ସ୍ବପ୍ନ ଦେଖିଛନ୍ତି । କିଏ ପାଇଲଟ ହେବାକୁ ଚାହୁଛି ତୋ ଆଉ କିଏ ଏୟାର ହୋଷ୍ଟେଜ୍ । ସେଇଥି ପାଇତୋ ବିଦ୍ୟାଳୟର କାନ୍ଥରେ ବିମାନର ଚିତ୍ର ତିଆରି କରି ପିଲାଙ୍କୁ ଏବେ ଠାରୁ ଶିକ୍ଷା ଦିଆଯାଉଛି ।

ଅପହଞ୍ଚ ଇଲାକାର ଆଦିବାସୀ ପିଲାଙ୍କ ପାଖରେ ଶିକ୍ଷାର ଆଲୋକ ପହଞ୍ଚଇବା ଲାଗି ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଭାରାଣୀ ବିଶ୍ବାଳ । କାରଣ ଆଜିବି ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯେଉଠି ଶିକ୍ଷାର ଆଲୋକ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହି । ସର୍ବ ଶିକ୍ଷା ଅଭିଯାନକୁ ବାସ୍ତବ କରିବାକୁ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏପରି ଅଭିନବ ଚିନ୍ତା କରିଛନ୍ତି । କାରଣ ଆଦିବାସି ଆଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପିଲାଏ ଏଯାଏ ଟ୍ରେନ ଦେଖି ନଥିବା ବେଳେ ସେମାନଙ୍କ ପାଇଁ ବିମାନ ଚଢିବା ଏକ ସ୍ବପ୍ନ ତେବେ ଏହାକୁ ନେଇ ପିଲାଙ୍କ ମଧ୍ୟରେ ଏକ ଉଚ୍ଚ ଭାବନା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ।
ଯେଉଁଠି ଗାଁକୁ ସାଇକଲ ଯିବାର ରାସ୍ତା ନାହିଁ ସେଠାକାର ପିଲାଏ ବିମାନରେ ଉଡିବାର ସ୍ବପ୍ନ ଦେଖୁଛନ୍ତି । ଏପରି ଦୃଶ୍ୟ ଦେଖିଲେ ଆମକୁ ମନେ ହେଉଛି ଯେ ଆଦିବାସୀ ଅଧ୍ୟୁଷିତ, ନକ୍ସଲ ପ୍ରବଣ ଓ ପଛୁଆ ଜିଲ୍ଲା ବୋଲି କୁହାଯାଉଥିବା ମାଲକାନଗିରି ଯେ ଆଗକୁ ବଢିବାର ବେଳ ଆସିଛି ଏଥିରେ ସନ୍ଦେହ ନାହିଁ ।