Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ୬ତାରିଖରୁ ରାଜ୍ୟର ସବୁ ସ୍କୁଲ କଲେଜରେ ପଡିବ ତାଲା !

26/08/2018 at 2:44 AM

ଭୁବନେଶ୍ୱର ୨୬/୮ : ଆସନ୍ତା ୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜରେ ତାଲା ପଡିବ । ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଞ୍ଚ ଏହି ଚେତାବନୀ ଦେଇଛି । ନିଜ ଜିଦ୍ ରେ ଅଟଳ ରହିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ୧୧ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଞ୍ଚ ଏବେ ଆନ୍ଦୋଳନକୁ ଆହୁରି କଠୋର କରିଛି । ଆସନ୍ତା ଗୁରୁ ଦିବସକୁ କଳା ଦିବସ ଭାବରେ ପାଳିବାକୁ ଆହ୍ଵାନ ଦେଇଛି ମଞ୍ଚ । ଏହାର ପରଦିନ ଅର୍ଥାତ୍ ସେପ୍ଟେମ୍ବର ୬ ତାରିଖରୁ ନେବେ ସମୂହ ଛୁଟି । ଫଳରେ ରାଜ୍ୟର ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହାତ ହେବ ବୋଲି ଆଶଙ୍କା କରାଯାଉଛି। ଚାକିରି ସର୍ତ୍ତାବଳୀ ସମେତ ଅବସରକାଳୀନ ସୁବିଧା ସୁଯୋଗ ଦାବି ନେଇ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତାକାଲିଠାରୁ ଜିଲ୍ଲାଓ୍ବାରୀ ଧାରଣା ଦେବେ ଆନ୍ଦୋଳନକାରୀ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାରଣା ଦିଆଯିବ । ଏହା ସହ ୨ ତାରିଖରେ ବ୍ଲକ୍ ସ୍ତରୀୟ ଷ୍ଟିଅରିଂ କମିଟି ଗଠନ କରାଯିବ । ତାପରେ ଗୁରୁ ଦିବସ, ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରେ ମହା ସମାବେଶ କରି କଳା ଦିବସ ପାଳିବେ ଆନ୍ଦୋଳନକାରୀ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ । ସରକାର ସେମାନଙ୍କ ଦାବି ପୂରଣ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଦରକାର ପଡ଼ିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଶିକ୍ଷକ ମଞ୍ଚ ।

   Related Posts