ପୂଜା ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଲା ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ
14/10/2018 at 12:48 AM

ଭୁବନେଶ୍ୱର ୧୩/୧୦: କାଲିଠାରୁ ଆରମ୍ଭ ହେବ ପୂଜା ଛୁଟି । ଦଶହରା ପାଇଁ ବନ୍ଦ ରହିବ ସ୍କୁଲ୍-କଲେଜ୍ । ତେବେ ଏହା ପୂର୍ବରୁ ନିଜ ଆନ୍ଦୋଳନକୁ ସ୍ଥଗିତ ରଖିଛି ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ । ଆନ୍ଦୋଳନକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ମିଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧି ଆଲୋଚନା କରିଥିଲେ । ଏହା ଥିଲା ଶିକ୍ଷକଙ୍କ ସହିତ ସରକାରଙ୍କର ପଞ୍ଚମ ପର୍ଯ୍ୟାୟ ଆଲୋଚନା । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ସହିତ ଉଚ୍ଚ ପ୍ରଶାସନିକ ଅଧିକାରୀ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ରାଜ୍ୟ ସରକାର ୨୦୧୫-୧୬ ମସିହାରୁ ସ୍ଥଗିତ ଥିବା ସ୍କୁଲ ଶିକ୍ଷକମାନଙ୍କର ୪୬ ଦିନ ଓ କଲେଜ ଶିକ୍ଷକମାନଙ୍କର ୩୦ ଦିନିର ବକେୟା ଦରମା ପ୍ରଦାନ କରିବାକୁ ସହମତି ଦେଇଥିଲେ । ସପ୍ତମ ବେତନ ଖୁବଶୀଘ୍ର ଲାଗୁ କରିବା, ନୂଆ ସ୍କୁଲକୁ ବେତନ ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଆଶ୍ବାସନା ଦେଇଛନ୍ତି । ଏଥିସହିତ ଚାକିରୀ ସର୍ତ୍ତାବଳୀ ଏବଂ ଅବସରକାଳୀନ ସୁବିଧା ପାଇଁ ଏକ କମିଟି ଗଠନ ଲାଗି ମଧ୍ୟ ସହମତି ହୋଇଛି । ଆଲୋଚନା ପରେ ମିଳିତ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ମିଳିତ ମଞ୍ଚର ଷ୍ଟିଅରିଂ କମିଟି ନିଷ୍ପତ୍ତି ନେଇଥିଲା ।