ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

Published By : Prameya-News7 Bureau | April 19, 2021 IST

ଭଦ୍ରକ ୧୯।୪: ରସିକିଆ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଚାକିରୀରୁ ହେଲେ ନିଲମ୍ବିତ । ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଭଦ୍ରକ ବ୍ଲକ୍ ଶିକ୍ଷା ଅଧିକାରୀ ଶିକ୍ଷକ ସପନ କୁମାର ମିଶ୍ରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ସରକାରୀ କାର୍ଯ୍ୟରେ ଅବହେଳା ସହ ହ୍ବାଟସଆପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅନ୍ୟପଟେ ରସିକିଆ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା ଗୋଷ୍ଠୀ । ଭଦ୍ରକ ଜିଲ୍ଲାର ନାରୀ ସୁରକ୍ଷା ପ୍ରଗତି ମଞ୍ଚର କର୍ମକର୍ତ୍ତାମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି । ନାରୀ ସୁରକ୍ଷା ପ୍ରଗତି ମଞ୍ଚ ସଂଗଠନ ପକ୍ଷରୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଜଣେ ଶିକ୍ଷକଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ସମାଜ ପାଇଁ ନିନ୍ଦନୀୟ ବୋଲି ମହିଳାମାନେ କହିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ଦେଇଛି ମହିଳା ପ୍ରଗତି ମଞ୍ଚ । ଯଦି ତିନି ଦିନ ମଧ୍ୟରେ ପୋଲିସ କି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ମହିଳା ପ୍ରଗତି ମଞ୍ଚ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶିକ୍ଷକଙ୍କ ଘର ସାବରଙ୍ଗ ଶାସନର ଗ୍ରାମରେ । ଏହି ରସିକିଆ ଶିକ୍ଷକ ଜଣଙ୍କ ପୂର୍ବରୁ ଛାତ୍ରୀଙ୍କ ଉପରେ ଖରାପ ନଜର ପକାଇ ଦଣ୍ଡିତ ହୋଇଥିଲେ । ସେହି ସମୟରେ ରସିକିଆ ଶିକ୍ଷକ ଭାବେ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏବେ ସଂପୃକ୍ତ ଶିକ୍ଷକଙ୍କର ଜନୈକା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହା ଏବେ ସାବରଙ୍ଗ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଶିକ୍ଷକ ହୋଇ ଏଭଳି କରୁଥିବାରୁ ଜନସାଧାରଣ, ବୁଦ୍ଧିଜୀବୀ ଓ  ଶିକ୍ଷକ ମହଲରେ ନିନ୍ଦା କରାଯାଉଛି ।

{"id":440837,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.