ଶିକ୍ଷକ ଆନ୍ଦୋଳନ ପ୍ରସଂଗ: ଉଚ୍ଚଶିକ୍ଷା ବିଭାଗର ନାଲି ଆଖି, ବିଧାନସଭାରେ ବିରୋଧୀଙ୍କ ଉଦ୍‌ବେଗ

Published By : Prameya-News7 Bureau | September 06, 2018 IST

ଭୁବନେଶ୍ବର ୬|୯:  ଗତକାଲି ରାଜଧାନୀରେ ଗୁରୁ ଦିବସକୁ କଳା ଦିବସ ପାଳିବା ପରେ ଆଜି ଶିକ୍ଷକଙ୍କ ଗର୍ଜନ ଜୋରଦାର୍ ହୋଇଛି । ପୂର୍ଣ୍ଣ ଅନୁଦାନ ଦାବି ନେଇ ସବୁ ବିଧାୟକଙ୍କ ସରକାରୀ ଘର ଘେରିଛନ୍ତି ଶିକ୍ଷକ । ସେପଟେ ଶିକ୍ଷକଙ୍କ ପାଇଁ ବିରୋଧୀ, ବିଧାନସଭାରେ ସରକାରଙ୍କୁ ଘେରିଥିବା ବେଳେ ଗଣଶିକ୍ଷା ବିଭାଗ ଆଲୋଚନାର ଆହ୍ବାନ ଦେଇ ନାଲି ଆଖି ଦେଖାଇଛି । ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁୟାୟୀ ସବୁ ବିଧାୟକଙ୍କ ସରକାରୀ ବାସଭବନ ଘେରିଛି ମିଳିତ ଶିକ୍ଷକ ମଞ୍ଚ । ଠିକ୍ ବିଧାନସଭା ବାହାରିଲା ବେଳକୁ ବିଧାୟକଙ୍କ ଆଗରେ କରିଥିଲେ ବିକ୍ଷୋଭ । ସେମାନଙ୍କ ଦାବିକୁ ଗୃହରେ ଉଠାଇବାକୁ ଅଡ଼ି ବସିଥିଲେ । ସେପଟେ ନିଜ ଘର ଆଗର ଶିକ୍ଷକଙ୍କ ଏଭଳି ଆକ୍ସନ୍ ପରେ ଗୃହରେ ବିରୋଧୀଙ୍କ ରିଆକସନ୍ ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ଉଠିଥିଲା ଏହି ପ୍ରସଙ୍ଗ । ସରକାର, ତୁରନ୍ତ ଶିକ୍ଷକ ସମସ୍ୟାର ସମାଧାନ କରନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଡ଼ି ବସିଥିଲେ । ବାଚସ୍ପତି ସଂପୃକ୍ତ ବିଭାଗ ଗୁଡ଼ିକୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ । ଗୃହ ଭିତରେ ଓ ବାହାରେ ଶିକ୍ଷକଙ୍କ ପ୍ରସଙ୍ଗ, ସରକାରଙ୍କୁ ନାକେଦମ୍ କରିଥିବା ବେଳେ ମୁହଁ ଖୋଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଶିକ୍ଷକମାନଙ୍କୁ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି ସତ, ତା ଭିତରେ ନାଲି ଆଖି ମଧ୍ୟ ଦେଖାଇଛନ୍ତି । ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହିଲେ, ଶିକ୍ଷକଙ୍କ ଦରମା କଟିବ ବୋଲି ନିର୍ଦ୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ ପୂର୍ଣ୍ଣ ଅନୁଦାନ ଦାବି ନେଇ ରାଜଧାନୀରେ ଶିକ୍ଷକମାନେ ଡେଉଁଥିବା ବେଳେ ଅଧିକାଂଶ ଅନୁଦାନ ପ୍ରାପ୍ତ ସ୍କୁଲରେ ତାଲା । ଫଳରେ ପିଲାଏ ସ୍କୁଲ ଯାଇ ଫେରିଛନ୍ତି । ସେପଟେ ମିଳିତ ମଞ୍ଚର ଆନ୍ଦୋଳନ ଦେଖି ଆଉ ୩ଟି ଶିକ୍ଷକ ସଂଗଠନ ନିଜ ନିଜ ଦାବି ନେଇ ରାଜଧାନୀରେ ଡେରା ପକାଇଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.