ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ସରକାରୀ ଶିକ୍ଷକ କଲେ ଏମିତି, ଗାଁଲୋକ କଲେ ପ୍ରଶଂସା

Published By : Prameya-News7 Bureau | September 01, 2019 IST

ଜୟପୁର ୧।୯: ରାଜସ୍ଥାନ ଅଲଓ୍ବାର ଜିଲ୍ଲାରେ ରହୁଥିବା ସରକାରୀ ଶିକ୍ଷକ ରମେଶ ଚନ୍ଦ୍ର ମୀଣାଙ୍କ ପତ୍ନୀଙ୍କର ଇଛା ଥିଲା ଯେ ସେ ହେଲିକପ୍ଟରରେ ଉଡିବେ। ସ୍ବାମୀ ତାଙ୍କ ଚାକିରିର ଶେଷ ଦିନରେ ପତ୍ନୀଙ୍କର ଏହି ଇଛା ପୂରଣ କରିଛନ୍ତି।

ରମେଶ ଚନ୍ଦ୍ର ମୀଣା ଅବସର ନେବା ପରେ ପତ୍ନୀଙ୍କ ସହ ହେଲିକାପ୍ଟରରେ ସ୍କୁଲଠାରୁ ମାଲାୱାଲିସ୍ଥିତ ଘରେ ପହଞ୍ଚିଥିଲେ । ସେମାନେ ହେଲିକପ୍ଟରରୁ ଓହ୍ଲାଇବା ସମୟରେ କୌଣସି ନେତା ବା ପ୍ରସିଦ୍ଧ ଲୋକ ଆସିବା ପରି ଏମାନଙ୍କୁ ମଧ୍ୟ ଦେଖିବାକୁ ବେଶ ଭିଡ ଜମାଇଥିଲେ ଲୋକେ। ଶିକ୍ଷକ ରମେଶ ମୀଣା ପାରମ୍ପରିକ ପୋଷାକ ପିନ୍ଧିଥିବାବେଳେ ତାଙ୍କ ପତ୍ନୀ କଳା ଚଷମା ଲଗାଇଥିଲେ । ଉଭୟ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା।

ସେ ତାଙ୍କ ଅନୁଭୂତି କହିବାକୁ ଯାଇ କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଥରେ ଛାତ ଉପରେ ବସିଥିବାବେଳେ ହେଲିକପ୍ଟର ଦେଖି ତାଙ୍କ ପତ୍ନୀ ମଜାରେ ପଚାରିଥିଲେ, ହେଲିକପ୍ଟର ଭଡା କଲେ କେତେ ଟଙ୍କା ପଡିବ। ପତ୍ନୀଙ୍କର ଏଇ କଥାଟି ଶିକ୍ଷକ ମନେ ରଖିଥିଲେ। ସେତେବେଳେ ସେ ଭାବିଥିଲେ ଯେ ସେ ତାଙ୍କ ପତ୍ନୀଙ୍କ ସ୍ବପ୍ନକୁ ଦିନେ ସାକାର କରିବେ । ଆଉ ଚାକିରିର ଶେଷ ଦିନରେ ସେ ଏହାକୁ ସତରେ ପରିଣତ କରାଇଛନ୍ତି।

ସେ ଦିଲ୍ଲୀରୁ ଏକ ହେଲିକପ୍ଟର ୩.୭୫ ଲକ୍ଷ ଟଙ୍କାରେ ଭଡା ନେଇଥିଲେ। ଏହି ଉଡାଣ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ପତ୍ନୀଙ୍କ ସହ ଏହି ୧୮ମିନିଟ୍ ର ଉଡାଣ ଜୀବନ ସାରା ମନେ ରହିବ ବୋଲି ସେ କହିଛନ୍ତି। ୩୪ବର୍ଷରୁ ଅଧିକ ସମୟ ସେ ଶିକ୍ଷକତା ପାଇଁ ଦେଇଛନ୍ତି । ତାଙ୍କର ଦୁଇ ପୁଅ ସରକାରୀ ଚାକିରୀ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.