ଶିକ୍ଷକଙ୍କୁ ପ୍ରେମ କରି ବିଷ ପିଇଲେ ଛାତ୍ରୀ, ତୁଚ୍ଛାଟାରେ ଚାଲିଗଲା ଜୀବନ: ଏବେ ଗିରଫ ଦାବିରେ ରାସ୍ତା ମଝିରେ ଗ୍ରାମବାସୀ

Published By : Prameya-News7 Bureau | August 30, 2020 IST

ବଲାଙ୍ଗୀର୩୦/୮:  ପ୍ରେମ, ପ୍ରତିଶୃତି ଓ ପରେ ପ୍ରତାରଣାର ଶିକାର ହୋଇ ଶେଷରେ ନିଜ ଜୀବନ ହାରି ଦେଲେ ଜଣେ କଲେଜ ପଢ଼ୁଆ ଯୁବତୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକ। ପରିବାର ଲୋକଙ୍କ କହିବା ଅନୁସାରେ, ନିଜ ଗାଁର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯିଏ କି ପେଶାରେ ସରକାରୀ ଶିକ୍ଷକ ଥିଲେ । ଗତବର୍ଷ ଫେବୃଆରୀ ମାସରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଅସୁରମୁଣ୍ଡା ଗାଁର କଲେଜ ଛାତ୍ରୀ ଛିନେ ଗହୀରଙ୍କୁ ଗଣେଶ ସେଲମା ନାମକ ଜଣେ ଶିକ୍ଷକ ଅପହରଣ କରି ଏକ ନର୍ସରୀରେ ରଖି ଦୁଷ୍କର୍ମ କରିଥିଲା । ପରେ ଉଭୟଙ୍କ ମଧ୍ୟ​‌ରେ ଆପୋଷ ବୁଝାମଣାରେ ପୁଣି ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତା ପରେ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲା ଗଣେଶ । ବାହା ହେବାକୁ ମନା କରିବାରୁ ଯୁବତୀ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପୀଡିତାଙ୍କ ବାପା ଏନେଇ ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ । ତା ପରେ ପ୍ରେମିକ ଗଣେଷ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ସେତେବେଳେ ଭିଡିଓ ଭାଇରାଲ କରିଥିଲା । ଏନେଇ କିଛି ଦିନ ତଳେ ପ୍ରେମିକ ଗଣେଶ ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ଜାଣିବା ପରେ ଏହାକୁ ପ୍ରେମିକା ଛିନେ ଗହୀର ବିରୋଧ କରି ତାଙ୍କୁ ଫୋନ କରିଥିଲେ । ଫୋନରେ ଝଗଡା ହେବା ପରେ ଗତ କାଲି ଯୁବତୀ ଜଣକ ବିଷ ପିଇ ଦେଇଥିଲେ । ମୁର୍ମୁସ ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ ।

ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଯୁବତୀଙ୍କ ମାଆ ପ୍ରେମିକ ଗଣେଶ ନାଁରେ ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି । ତେବେ ଗାଁରେ ଯୁବତୀଙ୍କ ମୃତଦେହ ପହଂଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଯୁବତୀଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୁକ୍ତ ପ୍ରେମିକର ଗିରଫ ଦାବିରେ ରାୟପୁର-ଗୋପାଳପୁର ୫୯ ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ କଣ୍ଟାବାଞ୍ଜି ଏସଡ଼ିପିଓ ସରୋଜ ମହାପାତ୍ର ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ସହ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ରେଡ଼କ୍ରୋସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.