ପୁଣି ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ, ୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ
29/06/2019 at 10:40 AM

ପାରାଦୀପ ୨୯|୬: କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ନିଜ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଜଗସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣେଶ୍ବରା ଗ୍ରାମରେ ଥିବା ରତ୍ନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଦୀପକ ମହାପାତ୍ର । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଜଣଙ୍କୁ ଖାତା ଦେଖାଇବା ବାହାନାରେ ବିଦ୍ୟାଳୟର ଅଫିସ ରୁମକୁ ଡାକିଥିଲେ । ସେଠାରେ ଛାତ୍ରୀ ଜଣକ ସହିତ ଅସଦାଚରଣ କରିବା ସହିତ ପାଖ ଅଙ୍ଗନଓ୍ବାଡୀ ଘରକୁ ଯିବା ପାଇଁ ବାଧ୍ୟ କରିଥିଲେ ବୋଲି ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ତେବେ ପୂର୍ବରୁ ଛାତ୍ରୀ ଜଣକ ସହିତ ଅନେକ ଥର ଏଭଳି ଅସଦାଚରଣ କରିବା ସହିତ କାହାକୁ ଏ ବିଷୟରେ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ । ଶେଷରେ ବାଧ୍ୟ ହୋଇ ଛାତ୍ରୀ ଜଣକ ସମସ୍ତ ବିଷୟ ଘରେ ଜଣାଇବା ପରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷକଙ୍କୁ ପ୍ରଥମେ ବିଦ୍ୟାଳୟର ଏକ ଗୄହରେ ବନ୍ଦକରି ଅଟକ ରଖିଥିଲେ । ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।