ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପ୍ରତିଦିନ ନଦୀ ପାର ହୋଇ ବିଦ୍ୟାଳୟକୁ ଯାଉଛନ୍ତି ଶିକ୍ଷକ

Published By : Prameya-News7 Bureau | November 02, 2019 IST

ମାଲକାନଗିରି ୨।୧୧: ଆସନ୍ତାକାଲି ମାଲକାନଗିରି ଗସ୍ତ କରିବେ ଶିକ୍ଷା ମନ୍ତ୍ରୀ । ଜିଲ୍ଲାରେ ଶିକ୍ଷାର ବିକାଶ କେତେ ଦୂର ଆଗେଇଛି ଏହାକୁ ଗ୍ରାଉଣ୍ଡ ଜିରୋରେ ପରିଖିବେ ଶିକ୍ଷା ମନ୍ତ୍ରୀ ସମୀର ଦାଶ । କିନ୍ତୁ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପୂର୍ବରୁ ଶିକ୍ଷା ଦାନ ପାଇଁ  ପ୍ରତିଦିନ ଶିକ୍ଷକ ମାନେ ଭରା ନଦୀରେ ନିଜ ଜୀବନକୁ ବାଜି ଲଗାଉଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି । କାରଣ ପେଶା ଯେତେବେଳେ ନିଶା ପାଲଟେ ସେତେବେଳେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯାଏ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରିର ମାଓ ପ୍ରବଣ ବିଛିନ୍ନାଞ୍ଚଳରେ। ଏଠାରେ ଶିକ୍ଷାଦାନ ପାଇଁ ପ୍ରତିଦିନ ଜୀବନକୁ ବାଜି ଲଗାଉଛନ୍ତି ଶିକ୍ଷକ । କିଏ ଦୁର୍ଗମ ପାହାଡରେ ଚଢି ଯାଉଛି ତ କିଏ ଅକାତକାତ ନଇଁରେ ପଶି ବିଦ୍ୟାଳୟକୁ ଯାଉଛନ୍ତି ବିଚ୍ଛିନ୍ନାଞ୍ଚଳର ପିଲାଙ୍କୁ ଶିକ୍ଷାର ସ୍ବାଦ ଚଖାଇବା ପାଇଁ । ତେବେ ଏପରି ଦୁର୍ଗମ ଅଞ୍ଚଳକୁ  ଯାଉଯାଉ କେବେ କେବେ ଜଙ୍ଗଲି  ଜୀବଜନ୍ତୁଙ୍କ ହାବୁଡରେ ମଧ୍ୟ ଏମାନେ ପଡନ୍ତି ।

ତେବେ କର୍ତ୍ତବ୍ୟ ଆଗରେ ସବୁ କିଛିକୁ ପର କରି ଦେଉଥିବା ଏପରି ଶିକ୍ଷକ ହେଉଛନ୍ତି ସିଆରସିସି ଉମାକାନ୍ତ ଦାସ, ଢାକଡପଦର ଗ୍ରାମର ଶିକ୍ଷକ ସନ୍ନ୍ୟାସୀ ପାତ୍ର ଓ କୋଡେ ମଙ୍ଗୁଲୁ । ସିଆରସିସି ପାହାଡିଆ ରାସ୍ତାରେ ଯିବାଆସିବା କରୁଥିବାବେଳେ ଦୁଇ ଶିକ୍ଷକ ଗଭୀର ନଦୀରେ ପାର ହୋଇଯାଉଛନ୍ତି । ତେବେ ଢାକଡପଦର ଗାଁକୁ ଯିବାକୁ ହେଲେ ଚିତ୍ରକୋଣ୍ଡା ବ୍ଲକରୁ ପ୍ରଥମେ ଲଞ୍ଚ ଯୋଗେ ୬୧ କି.ମି ଦୂର ଯନ୍ତ୍ରୀ ପଞ୍ଚାୟତରେ ପହଞ୍ଚିବାକୁ ହୋଇଥାଏ ଓ ସେଠାରୁ ଏସବୁ ଦୁର୍ଗମ ଅଞ୍ଚଳ ଚାଲି ଚାଲି ଏବଂ ପାଣିରେ ପହଁରି ଅତିକ୍ରମ କରିବାକୁ ହୋଇଥାଏ । ଯାହାକି ଏମାନେ କରୁଛନ୍ତି ।

ତେବେ ପ୍ରତିଦିନ ଏପରି ନିଜ ଜୀବନକୁ ବାଜି ଲଗାଇ ସ୍କୁଲକୁ ଯାଉଥିବା ଏହି ଶିକ୍ଷାଦାତାଙ୍କ ଉପରେ କେବେ ସରକାରଙ୍କ ନଜର ପଡିବ ଓ କେବେ ବିଚ୍ଛିନ୍ନାଞ୍ଚଳର ସମସ୍ତ ଗାଁକୁ ରାସ୍ତା ହେବ ତାହା ଦେଖିବାର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.