ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ : ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଗୁରୁ ଦିବସରେ ପାଇବେ ଜାତୀୟ ପୁରସ୍କାର

Published By : Prameya-News7 Bureau | August 21, 2019 IST

ଜୟପୁର ୨୧|୮: ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ।ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ହେବେ ସମ୍ମାନିତ ।ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ। ଏହି ସମ୍ମାନ ପାଇଁ ସାରା ଦେଶରୁ ୪୫ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ସେ ସ୍ଥାନ ପାଇଥିବାରୁ ଏବେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା । ଆଉ ଏହାକୁ ନେଇ ପୁରା ସ୍କୁଲରେ ଏବେ ଖୁସିର ମାହୋଲ।

{"id":147068}

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ। ଆସନ୍ତା ଗୁରୁ ଦିବସ ଦିନ ଆଦର୍ଶ ଶିକ୍ଷକ ଭାବେ ଜାତୀୟ ସ୍ତରରେ ହେବେ ସମ୍ମାନୀତ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ୪୫ ଜଣ ଶିକ୍ଷକଙ୍କୁ ଏଥିପାଇଁ ମନୋନୀତ କରାଯାଇଥିବାବେଳେ ଆମ ରାଜ୍ୟରୁ କେବଳ ଜଣେ ମାତ୍ର ଶିକ୍ଷକ ଭାବେ ସେ ସ୍ଥାନ ପାଇଛନ୍ତି। ପୂର୍ବରୁ ସେ ବହୁବାର ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି ସମ୍ମାନ ପାଇବେ।

{"id":147069}

ବୋରିଗୁମ୍ମାର ଜନ୍ମିତ ପବିତ୍ର ମୋହନ ଜୟପୁର ବିକ୍ରମ ଦେବ କଲେଜରୁ ପାଠ ପଢ଼ା ସାରିବାପରେ ୨୦୦୧ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ। ତେବେ ୨୦୧୪ ମସିହାରୁ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ବିଜ୍ଞାନ, ଗଣିତ ସହ ଇଂରାଜୀ ପଢାଇବାରେ କୃତିତ୍ବ ହାସଲ କରିଛନ୍ତି। ପିଲାମାନେ ଯେପରି ସରଳ ଭାଷାରେ ବୁଝିପାରିବେ ସେଥିପାଇଁ ସେ ଅନେକ ପୁସ୍ତକ ରଚନା କରିଛନ୍ତି।

{"id":147070}

ସେହିପରି ସ୍କୁଲରେ ସେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ବି ଦିଅନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୬ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ସହ ୨୦୧୪ରେ ପ୍ରକୃତି ବନ୍ଧୁ ଓ ୨୦୧୬ରେ ପ୍ରକୃତି ମିତ୍ର ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। ଏହି ଜାତୀୟ ସମ୍ମାନ ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ଅଧିକ ଗବେଷଣା କରିବାକୁ ତାଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ଶିକ୍ଷକ ପବିତ୍ର ମୋହନ।

{"id":147071}

ଏହି ସମ୍ମାନ ପାଇଁ ଶିକ୍ଷକ ପବିତ୍ର ମୋହନ ମନୋନୀତ ହେବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଶିକ୍ଷକ ପବିତ୍ର ମୋହନ ଅତି ସରଳ ପଦ୍ଧତିରେ କଠିନ ଗଣିତ ଓ ବିଜ୍ଞାନ ବିଷୟ ବୁଝାଇ ଦେଉଥିବା କହିଛନ୍ତି ଛାତ୍ରଛାତ୍ରୀ। ସେ ଅତି ସରଳ ଓ ଶାନ୍ତ ସ୍ବଭାବର ହୋଇଥିବାରୁ ଛାତ୍ରଛାତ୍ରୀ ତାଙ୍କ ପାଠ ପଢାକୁ ଧ୍ୟାନର ସହ ଶୁଣୁଥିବା ବେଳେ ଏହା ତାଙ୍କ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା କହିଛନ୍ତି ଛାତ୍ରଛାତ୍ରୀ ।

{"id":147072}

ସେହିପରି ଦିନକୁ ଦିନ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ବେଳେ ପବିତ୍ର ମୋହନଙ୍କ ଜାତୀୟ ସ୍ତରରେ ଏହି ମନୋନୟନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଶିକ୍ଷକ ।

{"id":147074}

ଗତ ବର୍ଷ ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଜୟପୁର ସରକାରୀ ହାଇସ୍କୁଲର ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଏହି ସମ୍ମାନ ପାଇଥିଲେ। ଆଉ ଶିକ୍ଷକ ପବିତ୍ର ମୋହନ ଏହି ବର୍ଷ ଏହି ସମ୍ମାନ ପାଇଁ ମନୋନୀତ ହେବା କେବଳ କୋରାପୁଟ କାହିଁକି ସାରା ରାଜ୍ୟ ପାଇଁ ଗୌରବ ଆଣିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.