ଯାଜପୁର ୮।୩: ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜା । ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଷଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଦୁଇ ଛାତ୍ରୀ ସ୍କୁଲ ଯିବେନି କି ପାଠ ପଢିବେନି ଏପରି କଥା ପରିବାରକୁ କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ ସଂପୃକ୍ତ ଶିକ୍ଷକଙ୍କୁ ପୋଲିସ ଉଠାଇ ଆଣିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ସ୍କୁଲ ପରିସରରେ ଦୀର୍ଘ ଦିନରୁ ଟିଉସନ କରି ଆସୁଛନ୍ତି । ପୀଡ଼ିତାଙ୍କ ବୟାନ ଅନୁସାରେ ଅନ୍ୟ ପିଲାମାନେ ପଳାଇବା ପରେ ଶିକ୍ଷକ ଜଣଙ୍କ ଲାଇଟ ଲିଭାଇ କବାଟ ବନ୍ଦ କରି ଦୁଇ ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ । କାହା ଆଗରେ ଘଟଣା ପ୍ରକାଶ କଲେ ଜୀବନରୁ ମାରି ଦେବା ସହ ପରିବାର ଲୋକଙ୍କୁ ରାସ୍ତାରୁ ହଟାଇଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ ସଂପୃକ୍ତ ଶିକ୍ଷକ ।
ତେବେ ଗତକାଲି ଛାତ୍ରୀ ଦୁଇ ଜଣ ଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆଉ ପାଠ ପଢିବେ ନାହିଁ ବୋଲି ସେମାନଙ୍କ ମା’ଙ୍କୁ କହିଥିଲେ । ଏହାପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା । ଘଟଣା ସଂପର୍କରେ ଦୁଇ ଛାତ୍ରୀଙ୍କ ପରିବାରଲୋକ ପାଣିକୋଇଲି ଥାନାରେ ପୃଥକ ପୃଥକ ଭାବେ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଖାଲି ଏହି ଦୁଇ ଜଣ ଛାତ୍ରୀ ନୁହେଁ ବରଂ ଅନ୍ୟ ଛାତ୍ରୀମାନଙ୍କ ସହ ଏପରି କରୁଥିବା ମଧ୍ୟ କହିଛନ୍ତି ଦୁଇ ପୀଡିତା ଛାତ୍ରୀ । କେସ୍ ନମ୍ବର ୬୧/୨୦ ଓ ୬୨/୨୦ରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି।