ସଡକ ଦୁର୍ଘଟଣାରେ ତେଲୁଗୁ ଅଭିନେତା ତଥା ଟିଡିପି ନେତା ନନ୍ଦମୁରୀ ହରିକ୍ରିଷ୍ଣାଙ୍କ ମୃତ୍ୟୁ

Published By : Prameya-News7 Bureau | August 29, 2018 IST

ତେଲେଙ୍ଗାନା ୨୯/୮: ସଡକ ଦୁର୍ଘଟଣାରେ ତେଲୁଗୁ ଅଭିନେତା ତଥା ଟିଡିପି ନେତା ନନ୍ଦମୁରୀ ହରିକ୍ରିଷ୍ଣାଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାର  ନାଲଗୋଣ୍ଡା  ନିକଟରେ ଆଜି ପ୍ରତ୍ୟୁଷରେ ଏହି ଦୁର୍ଘଟଣା ଘଟିଛି ।  ଭୋର ସାଢେ ୪ଟାରେ ଘରୁ ହାଇଦ୍ରାବାଦ ବାହାରିଥିଲେ ହରିକ୍ରିଷ୍ଣା । ସେ ତାଙ୍କ ଏସୟୁଭିଟିକୁ ନିଜେ ଦ୍ରୁତ ଗତିରେ ଚଳାଇ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ଏବଂ ଅନ୍ୟଏକ କାରକୁ ଧକ୍କା ଦେଇ ଓଲଟି ପଡିଥିଲା ।  ଗୁରୁତର ଆହତ ହରିକ୍ରିଷ୍ଣାଙ୍କୁ  ନରକେତପାଲିର କାମିନେନି ସୁପର ସ୍ପେଶିଆଲିଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା ।  ତେବେ ସକାଳ ୭ ଟା ୪୫ ମିନିଟ୍ ରେ  ସେଠାରେ ତାଙ୍କର  ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ନନ୍ଦମୁରୀ ହରିକ୍ରିଷ୍ଣା ହେଉଛନ୍ତି  ଆନ୍ଦ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି  ପ୍ରତିଷ୍ଠାତା ସ୍ବର୍ଗତ ଏନଟି ରାମାରାଓଙ୍କ ପୁଅ । ସେ ବର୍ତ୍ତମାନର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ । ସିନେମା, ବ୍ୟବସାୟ ସହ ରାଜନୀତିରେ  ବି ସକ୍ରିୟ ଥିଲେ ହରିକ୍ରିଷ୍ଣା । ସେ ବାପା ଏନଟିଆରଙ୍କ ଚେତନା ରଥର ଚାଳକ ଭାବେ ବେଶ୍ ପରିଚିତ ଥିଲେ । ଟିଡିପିର ସକ୍ରିୟ ସଦସ୍ୟ ଭାବେ ସେ  ହିନ୍ଦୁପୁରର ବିଧାୟକ ଥିଲେ  । ୨୦୧୫ ପର୍ଯ୍ୟନ୍ତ ସେ ଟିଡିପିର ରାଜ୍ୟସଭା ସଦସ୍ୟ  ବି ଥିଲେ । ଗତ ତିନି ବର୍ଷ ତଳେ  ହରିକ୍ରିଷ୍ଣାଙ୍କ ବଡ ପୁଅ ଜାନକୀରାମ୍ ଙ୍କର ମୃତ୍ୟୁ ହୋଇଥିଲା । ହରିକ୍ରିଷ୍ଣ୍ମାଙ୍କ ଭଳି ସେହି ଏକା ରାସ୍ତାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜାନକୀରାମ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.