ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ୭୭ହଜାରଙ୍କୁ ଚାକିରୀ ଦେବ ଟିସିଏସ୍

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ, ୨୧/୧୦:   ହଜାର ହଜାର ବୈଷୟିକ ଯୁବକ-ଯୁବତୀଙ୍କୁ ଚାକିରୀ ଦେବ ଟିସିଏସ୍ । ୨୦୨୧-୨୨ ଆର୍ଥିକ ବର୍ଷରେ ଟିସିଏସ ରେକର୍ଡ ସଂଖ୍ୟକ ୭୭ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ସୂଚନା ମିଳିଛି । ଏନେଇ କମ୍ପାନୀର ମୁଖ୍ୟ ମାନବସମ୍ବଳ ଅଧିକାରୀ ମିଲିଣ୍ଡ ଲକ୍କଡ ଏକ ଇଂରାଜୀ ଓ୍ୱେବସାଇଟକୁ ଏନେଇ କହିଛନ୍ତି ।

ସେ କହିଛନ୍ତି ଯେ, କମ୍ପାନୀରେ  ତୁରନ୍ତ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ କରାଯିବ ।ବିଭିନ୍ନ କ୍ୟାମ୍ପସରୁ ୪୩୦୦୦ ଯୁବକଙ୍କୁ ଚାକିରୀ ପ୍ରଦାନ କରାଯାଇଛି । ଏବେ ଆଉ ୩୪୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଏପରି ଭାବେ ୭୭୦୦୦ ଜଣଙ୍କୁ କମ୍ପାନୀ ଚାକିରୀ ପ୍ରଦାନ କରିବ ।

ସେ ଆହୁରି କହିଛନ୍ତି ଯେ, ଟିସିଏସ ବିଭିନ୍ନ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ସପ୍ତମ ସେମିଷ୍ଟର ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଛି । କରୋନା ସମୟରେ ଅନଲାଇନରେ ତାଲିମ ଦିଆଯାଉଥିଲା । ସ୍ଥିତି ଠିକ୍ ହେଲେ ଅଫଲାଇନରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତି ସପ୍ତାହରେ ୧୫୦୦ ଛାତ୍ରଛାତ୍ରୀ କମ୍ପାନୀର ଡିଜିଟାଲ ସାର୍ଟିଫିକେସନ ପ୍ରୋଗ୍ରାମରେ ସାମିଲ ହେଉଛନ୍ତି । ଏ ସମୟରେ ସେମାନଙ୍କୁ ଇନସେନଟିଭ୍ ପ୍ରଦାନ କରାଯାଉଛି । ପର୍ଯ୍ୟାୟକ୍ରମେ ଏହି ଇନସେନଟିଭକୁ ବୃଦ୍ଧି କରାଯିବା ନେଇ ଯୋଜନା ରହିଛି ।

ଗତବର୍ଷ ଟିସିଏସର କର୍ମଚାରୀଙ୍କ ଦରମା ବୃଦ୍ଧି ଘଟିଥିଲା । ନୂଆ କରି ଯୋଗଦେଉଥିବା କର୍ମଚାରୀଙ୍କ ଦରମାକୁ ସାଢେ ୩ ଲକ୍ଷ ଟଙ୍କା କରାଯାଇଥିଲା । କମ୍ପାନୀରେ ଯୋଗଦେବାକୁ ଯୁବକ-ଯୁବତୀଙ୍କୁ ୩ ବର୍ଷରେ ୩ ଥର ସୁଯୋଗ ମିଳିଥାଏ । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ କମ୍ପାନୀ ନିଯୁକ୍ତି ଦେଇଥାଏ ବୋଲି ଲକ୍କଡ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.