ଅଟୋ ଚାଳକଙ୍କୁ ୧୦୦୦ କି ୨୦୦୦ ନୁହେଁ ମିଳିଲା ୪.୩୯ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍, ପାଦ ତଳୁ ଖସିଗଲା ମାଟି...

Published By : Prameya-News7 Bureau | March 03, 2021 IST

ଜୟପୁର ୦୩।୦୩: ରାଜସ୍ଥାନର ବାରମେର ଜିଲ୍ଲାରେ ଏକ ଅଟୋ ରିକ୍ସା ଡ୍ରାଇଭରଙ୍କୁ ମିଳିଲା ଟ୍ୟାକ୍ସ ପୈଠ କରିବାର ନୋଟିସ୍। ସେ ପୁଣି ୧୦୦୦ କି ୨୦୦୦ କି ୫୦୦୦ ନୁହେଁ, ରେଟ୍ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଆୟକର ବିଭାଗ ଅଟୋ ଚାଳକଙ୍କୁ ୪.୩୯ କୋଟି ଟଙ୍କାର ଟ୍ୟାକ୍ସ ଡିମାଣ୍ଡ ନୋଟିସ୍ କରିଛି। ଏହା ଶୁଣି ଚାଳକଙ୍କ ପାଦ ତଳୁ ମାଟି ଖସି ଯାଇଛି। କେବଳ ଏତିକି ନୁହେଁ ତାଙ୍କ ନାମରେ ଏକ କମ୍ପାନୀ ରହିଛି, ଯାହାର ବାର୍ଷିକ ଆୟ ୩୨.୬୨ କୋଟିରୁ ଅଧିକ। ନୋଟିସ୍ ଦେଖି ଚାଳକଙ୍କ ହୋସ୍‌ ଉଡି ଯାଇଛି। ମାମଲା ବୁଝିବା ପରେ ଅଟୋ ରିକ୍ସା ଚାଳକ ଥାନା ଯାଇ ତାଙ୍କ କାଗଜପତ୍ରର ଦୁରୁପଯୋଗ କରାଯାଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ମାମଲା ରୁଜୁ କରି ନାହିଁ।

ଏହା ମଧ୍ୟରେ ତଦନ୍ତରୁ ଜଣା ପଡିଛି ଯେ, ଦିଲ୍ଲୀର ଏକ କମ୍ପାନୀ ଅଟୋ ଚାଳକଙ୍କ କାଗଜପତ୍ରର ଦୁରୁପଯୋଗ କରିଛି। ଜିଏସଟି ଅଧିକାରୀ ଦିଲ୍ଲୀ ପ୍ରଶାସନ ସାମ୍ନାରେ ଏହି ଅଭିଯୋଗ ଉଠାଇଛନ୍ତି। ଅଟୋ ଚାଳକଙ୍କ ନାମ ଗାଜେଦନ ଚାରନ। ସେ ବାରମେର ଜିଲ୍ଲା ବାଖାସର ଥାନା ଅନ୍ତର୍ଗତ ପାନୋରିଆ ଅଞ୍ଚଳର। ନିକଟରେ ତାଙ୍କୁ ୪.୩୯ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ ମିଳିଥିଲା। ଏହି ଟ୍ୟାକ୍ସ ଡିମାଣ୍ଡ ୩୨.୬୮ କୋଟି ଟଙ୍କାର ନେଣଦେଣ ଆଧାରରେ କରାଯାଇଥିଲା।

ଚାରନ କହିଛନ୍ତି, ମୁଁ ଜଣେ ସାଧାରଣ ଅଟୋ ଚାଳକ। ମୁସ୍କିଲରେ ମାସକୁ ୧୦ ରୁ ୧୫ ହଜାର ଟଙ୍କା କମାଣି କରେ। ମୁଁ କେବେ ବି କୌଣସି କମ୍ପାନୀ କରି ନାହିଁ। ଏମିତି ଲାଗୁଛି କିଏ ମୋର କାଗଜପତ୍ରର ଦୁରୁପଯୋଗ କରି ନକଲି କମ୍ପାନୀ ତିଆରି କରିଛି। ସେ କହିଛନ୍ତି, ପୋଲିସଠାରେ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଅଣଦେଖା କରିଛନ୍ତି।

ପୁଣି ଫେବୃଆରୀ ୧୧ରେ ଯୋଧପୁରର ଜିଏସଟି ଆଣ୍ଟି-ଭିଜନ ଟିମ୍‌ଠୁ ନୋଟିସ୍ ମିଳିବା ପରେ ଗାଜଦେନ ଚାରଣ ଫେବୃଆରୀ ୧୫ରେ ନିଜର ପକ୍ଷ ରଖିବାକୁ କାର୍ଯ୍ୟାଳୟ ପହଞ୍ଚିଥିଲେ। ସେ ଜିଏସଟି ଅଧିକାରୀଙ୍କୁ ଜଣାଇଛନ୍ତି ଯେ, ସେ କେବେ ମଧ୍ୟ କୌଣସି କମ୍ପାନୀ କରି ନାହାନ୍ତି ନା କୌଣସି ନେଣଦେଣ କରିଛି। କେହି ମୋର କାଗଜପତ୍ର ଚୋରାଇ ଏହାର ଦୁରୁପଯୋଗ କରି ଇଣ୍ଟରନ୍ୟାସନାଲ ନାମରେ କମ୍ପାନୀ କରି ନେଇଛି। ତାଙ୍କର ଏହି କମ୍ପାନୀ ସହ କୌଣସି ସଂପର୍କ ନାହିଁ।

ଏସବୁ ଘଟଣାକ୍ରମରେ ଜଣା ପଡିଛି ଯେ, ଚାରନ ଏକ ଘରୋଇ ବୀମା କମ୍ପାନୀରୁ ଲୋନ୍ ନେଇଥିଲେ। ଯେଉଁଥିପାଇଁ ସେ ନିଜର କାଗଜପତ୍ର ଦେଇଥିଲେ। କୁହାଯାଉଛି ଯେ, ନକଲି କମ୍ପାନୀ କରିଥିବା ଲୋକେ ଏହି ଫାଇନାନ୍ସ କମ୍ପାନୀରୁ ତାଙ୍କ କାଗଜପତ୍ର ନେଇ ଯାଇଛନ୍ତି। ଏବେ ଯୋଧପୁରର ଜିଏସଟି ଅଧିକାରୀ ଦିଲ୍ଲୀରେ ଅଧିକାରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.