ଟ୍ରକ ଆସୋସିଏସନ୍‌ର ଆନ୍ଦୋଳନ ଧମକ, ଟିକସ୍‌ ଛାଡ଼ ନକଲେ ମାଲ୍‌ ନେବୁନି

Published By : Prameya-News7 Bureau | June 02, 2020 IST

କଟକ ୦୨।୦୬: ଲକ୍‌ଡାଉନ୍‌ ପୂରା ସମୟ ଟ୍ରକ୍‌ ଠିଆ ହୋଇ ରହିଲା । କେବଳ କରୋନା ମୁକାବିଲା କାମରେ କିଛି ଟ୍ରକ୍‌ ରାସ୍ତାରେ ଗଡ଼ିଥିଲା । ଫଳରେ ଟ୍ରକ୍‌ ମାଲିକମାନଙ୍କୁ ବହୁ ପରିମାଣର କ୍ଷତି ସହିବାକୁ ପଡିଛି । ରାଜ୍ୟ ସରକାରଙ୍କୁ ଟ୍ରକ୍‌ ମାଲିକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଟିକସ ଛାଡ କରିବା ପରିବର୍ତ୍ତେ ଟିକସ ପୈଠ କରିବାର ସମୟସୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ଏପ୍ରିଲ, ମେ’ ଏବଂ ଜୁନ୍‌ ତିନିମାସର ସଡକ ଟିକସ ଛାଡ ପାଇଁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ରାଜ୍ୟ ସରକାର ଟିକସ ଛାଡ ନକରନ୍ତି ତାହେଲେ ଟ୍ରକ୍‌ ମାଲିକ ମହାସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

{"id":280058,"sizeSlug":"large"}

ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଟ୍ରକ୍‌ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରକ୍‌ ଚଳାଚଳ ବନ୍ଦ ରହିବାରୁ ଡ୍ରାଇଭରମାନେ ଗାଁକୁ ପଳାଇଥିଲେ । ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରାଜ୍ୟ ସରକାର ଟ୍ରକ୍‌ ମାଲିକ ସଂଘକୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଟ୍ରକ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଥିଲେ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ୍ରାଇଭର୍‌ମାନଙ୍କ ସାହଯ୍ୟ ନେଇ ଟ୍ରକ୍‌ ଚଳାଚଳ କରାଯାଇଥିଲା । ରାଜ୍ୟରେ ୨ ଲକ୍ଷ ଟ୍ରକ୍‌ ଚାଲୁଥିଲେ ମଧ୍ୟ ଏହି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାର୍ଯ୍ୟରେ ମାତ୍ର ୧୦ ହଜାର ଟ୍ରକ୍‌ ନିୟୋଜିତ ହୋଇପାରିଥିଲା । ଟ୍ରକ୍‌ ଗୁଡିକ ଗୋଟିଏ ପଟରୁ ମାଲ ନେଇ ପରିବହନ କରୁଥିଲେ ଓ ଅନ୍ୟପଟେ ଖାଲି ଫେରୁଥିଲେ । ତେଣୁ ଦୈନିକ ଗୋଟିଏ ଗୋଟିଏ ଟ୍ରକ୍‌କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡୁଥିଲା ।

{"id":246519,"sizeSlug":"large"}

ବର୍ତ୍ତମାନ ସମୟରେ ବହୁ ଶିଳ୍ପ ସଂସ୍ଥା ବନ୍ଦ ରହିଥିଲାବେଳେ ପରିବହନ କମ୍ପାନୀଗୁଡିକ ମଧ୍ୟ ବନ୍ଦ ରହିଛି । ରାଜ୍ୟରେ ମାତ୍ର ୫୦ରୁ ୬୦ ହଜାର ଟ୍ରକ୍‌ ଆଂଶିକ ଭାବରେ ଚଳାଚଳ କରୁଛନ୍ତି । ଫଳରେ ଟ୍ରକ୍‌ ମାଲିକମାନଙ୍କୁ ବହୁ ପରିମାଣରେ କ୍ଷତି ସହିବାକୁ ପଡିଛି । ଟ୍ରକ୍‌ ମାଲିକମାନଙ୍କୁ ଟ୍ରକ୍‌ର ରକ୍ଷଣାବେକ୍ଷଣ କରିବା ଅସମ୍ଭବ ହୋଇପଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ, ମେ’ ଏବଂ ଜୁନ୍‌ ତିନି ମାସ ସଡକ ଟିକସ ଛାଡ ପାଇଁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.