ମୁମ୍ବାଇ ମିରରକୁ ତଥାଗତଙ୍କ ବିସ୍ଫୋରକ ସାକ୍ଷାତକାର, ଜାଣନ୍ତୁ କ'ଣ କହିଲେ

Published By : Prameya-News7 Bureau | March 10, 2019 IST

ଭୁବନେଶ୍ବର ୧୦|୩ : ଆଗାମୀ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିବୃତ୍ତି ଦେଇ ଚର୍ଚ୍ଚାରେ ଥିବା ବିଜେଡିର ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଆଜି ପୁଣି ଏକ ବିସ୍ଫୋରଣ କରିଛନ୍ତି । ବୟସ୍କ ରାଜନେତା ବାରମ୍ବାର କ୍ଷମତା ଉପଭୋଗ କରି ଆସୁଥିବା ରାଜନେତାଙ୍କୁ ଢାଲ କରି ତଥାଗତ ସିଧାସଳଖ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ କରୁଛନ୍ତି ବୋଲି ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କେବଳ ଓଡିଶା ନୁହେଁ, ଦେଶ ଓ ଅନ୍ୟ ରାଜ୍ୟରେ ବି ଗଣମାଧ୍ୟମ ବ୍ୟାପାରରେ ସରକାର ହସ୍ତକ୍ଷେପ କରୁଛନ୍ତି।

ଏହାଛଡା ରାଜନୀତିରୁ ବୟସ୍କ ଲୋକ ବିଦାୟ ନେବା ଉଚିତ୍ ବୋଲି ମଧ୍ୟ ସେ ଦେଇଛନ୍ତି। କେବଳ ଓଡିଶା ନୁହେଁ, ସାରା ଦେଶରେ ଏଭଳି ହେବା କଥା ବୋଲି କହିଛନ୍ତି। ତଥାଗତ କହିଛନ୍ତି, ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଏବେ ଅବସର ନେଇଯିବା ଉଚିତ୍। ନବୀନ ପଟ୍ଟନାୟକ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୋଦି ୩ଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଆଉ କେତେ ଥର ହେବାକୁ ସେ ଚାହୁଁଛନ୍ତି ବୋଲି ତଥାଗତ ପ୍ରଶ୍ନ କରିଛନ୍ତି। ଏମାନେ ଯୁବପୀଢିଙ୍କ ପାଇଁ ରାସ୍ତା ଛାଡିବା ଉଚିତ୍, କାରଣ ୨୦୨୦ ସୁଦ୍ଧା ଦେଶରେ ୩୫ ବର୍ଷରୁ କମ୍ ଯୁବପୀଢିଙ୍କ ସଂଖ୍ୟା ୮୦ ପ୍ରତିଶତ ହୋଇଯିବ। ତେଣୁ ମନ୍ତ୍ରୀ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ସାଂସଦ ହୁଅନ୍ତୁ, ଯେଉଁମାନେ ଏକାଧିକ ବାର କ୍ଷମତାରେ ରହିଲେଣି ଓ ବୟସ୍କ ହେଲଣି ସେମାନେ ଯୁବପୀଢିଙ୍କୁ ବାଟ ଛାଡ଼ିବା ଉଚିତ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଲୋକସଭା ଆସନରୁ ତଥାଗତ ସତପଥୀ ୨୦୦୪ରୁ ଲଗାତାର ତିନିଥର ବିଜେଡି ଟିକେଟ୍‌ରେ ଲୋକସଭାକୁ ଯାଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ନ ଲଢିବା ନେଇ ସେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ ଗଣମାଧ୍ୟମରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ନିର୍ଭୀକ ସାମ୍ବାଦିକତା କ୍ଷେତ୍ରରେ ଘୋର ଅଭାବ ରହିଛି । ଏବେ ସେ ସେ ଦିଗରେ ଧ୍ୟାନ ଦେବେ । ତେବେ ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ହଠାତ୍ ତଥାଗତଙ୍କର ଭୋଟ୍ ରାଜନୀତିରୁ ମୋହ ଭଙ୍ଗ ହେବା ପଛରେ କେବଳ ସାମ୍ବାଦିକତାକୁ ଫେରିବା ଇଚ୍ଛା ଏକମାତ୍ର କାରଣ ନା ଆଉ କୌଣସି ରାଜନୈତିକ ବାଧ୍ୟବାଧକତା ରହିଛି ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ତଥାଗତଙ୍କ ଏହି ନିଷ୍ପତ୍ତି ଏବଂ ବିବୃତି ନେଇ ବିଜେଡିର ନେତୃମଣ୍ଡଳୀ ବିଶେଷ ଖୁସି ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.