ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛି ଟାଟା ପାଓ୍ଵାର, ୟୁନିଟ୍ ପିଛା ନେଉଛି ଏତେ ଅଧିକ ଟଙ୍କା

Published By : Prameya-News7 Bureau | April 17, 2021 IST

ଭୁବନେଶ୍ଵର ୧୭।୦୪: ବର୍ଦ୍ଧିତ  ବିଜୁଳି ବିଲ୍ ଆଦାୟ ଆଳରେ ଉପଭୋକ୍ତାଙ୍କୁ ଲୁଟୁଛି  ଟାଟା ପାୱାର  । ଏପ୍ରିଲ ୪ ରୁ ବର୍ଦ୍ଧିତ ବିଜୁଳି ଦର ଲାଗୁ ପାଇଁ ଓଇଆରସି ନିର୍ଦେଶ ଦେଇଥିଲେ ମଧ୍ୟ ଟାଟା ପାୱାର କିନ୍ତୁ ପୁରା ମାସର ବିଲରେ ବର୍ଦ୍ଧିତ ଦର ଲଗାଇ ଉପଭୋକ୍ତାଙ୍କୁ ଶୋଷିବାର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି  । ଆଉ ଟାଟା ପାଓ୍ବାରର ଏଭଳି ଚଞ୍ଚକତାକୁ ନେଇ ସାଧାରଣରେ ତେଜିଛି ଅସନ୍ତୋଷ।

ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସିଧାସଳଖ ଲୁଟ୍ କରୁଛି ଟାଟା ପାଓ୍ବାର । ବର୍ଦ୍ଧିତ ବିଜୁଳି ଦର ଆଳରେ ଲୋକଙ୍କୁ ଲୁଟିବାକୁ ଟାଟା ପାଓ୍ବାର ଯେଉଁ ଚଞ୍ଚକତା କରିଛି ତାହା ଏବେ ସାମ୍ନାକୁ ଆସିଛି ।  ଏପ୍ରିଲ୍ ୪ରୁ ବର୍ଦ୍ଧିତ ବିଜୁଳି ଦର ଲାଗୁ ପାଇଁ ଓଇଆରସି ନିର୍ଦ୍ଦେଶ ଦେଇଥିବା ବେଳେ ପୂରା ମାସର ବିଲ୍‌ ଲାଗୁ କରାଯାଇଛି ବର୍ଦ୍ଧିତ ବିଜୁଳି ଦର । ଏପ୍ରିଲ୍ ୪ ପୂର୍ବରୁ ଅର୍ଥାତ ମାର୍ଚ୍ଚ ମାସରେ ପୁରୁଣା ଦର ହିସାବରେ ପ୍ରଥମ ୫୦ ୟୁନିଟ୍‌କୁ ୨ଟଙ୍କା ୭୦ପଇସା ନେବା ବଦଳରେ ୩ ଟଙ୍କା ଲଗାଇ ବିଲ୍ ଦେଇଛି ଟାଟା ପାଓ୍ବାର।

ସେହିଭଳି ମାର୍ଚ୍ଚ ମାସରେ ୫୦ରୁ ୨୦୦ ୟୁନିଟ୍ କୁ ପୁରୁଣା ଦର ୪ଟଙ୍କା ୫୦ ପଇସା ବଦଳରେ ନୂଆ ଦର ୪ଟଙ୍କା ୮୦ପଇସା ହିସାବରେ ଦର କଷିଛି କମ୍ପାନୀ। ଆଉ ୨୦୦ ୟୁନିଟ୍ ଉପରକୁ ୫ ଟଙ୍କା ୫୦ ପଇସା ବଦଳରେ ୫ଟଙ୍କା ୮୦ ପଇସା ଲଗାଇ ଉପଭୋକ୍ତାଙ୍କୁ ଶୋଷିବାକୁ ଟାଟା ପାଓ୍ବାର ଯେଉଁ ଷଡ଼ଯନ୍ତ୍ର କରିଛି ତାହା ଏବେ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି।

ଏପ୍ରିଲ ୪ରୁ ୟୁନିଟ ପିଛା ୩୦ ପଇସା ବର୍ଦ୍ଧିତ ବିଜୁଳି ଦର  ଲାଗୁ କରିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି । ଏମିତିରେ ବିଜୁଳି ବିଲରେ ଏପ୍ରିଲ ୪ ପୂର୍ବରୁ ଉପଭୋକ୍ତା ବ୍ୟବହାର କରିଥିବା ବିଜୁଳି ପାଇଁ  ପୁରୁଣା ଦରରେ ହିସାବ ହେବା କଥା । ଆଉ ଏପ୍ରିଲ ୪ର ପରର ବିଜୁଳି ବ୍ୟବହାରକୁ ବର୍ଦ୍ଧିତ ଦର ୟୁନିଟ ପିଛା  ୩୦ ପଇସା ଲାଗୁ ହେବା କଥା।

ହେଲେ ତାହା ନକରି ଟାଟା ପାୱାର ମାର୍ଚ୍ଚ ମାସରୁ ବିଲରେ ପୂରା ମାସକର ନୂଆ ଦର ଲଗାଇ ବିଲ୍ ଦେଇଛି ।  ଉଦାହରଣ  ସ୍ବରୂପ ଯେଉଁମାନଙ୍କୁ ଗତ ମାର୍ଚ୍ଚ ୧୫ରେ  ବିଜୁଳି ବିଲ ଦିଆଯାଇଥିଲା ସେମାନଙ୍କୁ ପୁଣି ଏପ୍ରିଲ ୧୫ରେ ନୂଆ ବିଲ ମିଳିଛି । ଏମିତି ଚଞ୍ଚକତା କରି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେବାକୁ ଚକ୍ରାନ୍ତ ଚଳାଇଛି ଟାଟା ପାଓ୍ବାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.