Apple ପାଇଁ ସ୍ମାର୍ଟଫୋନ୍‌ ପାର୍ଟସ୍‌ ତିଆରି କରିବ ଟାଟା‌, ୫୦୦୦ କୋଟି ଟଙ୍କାରେ ତାମିଲନାଡୁରେ ଫ୍ୟାକ୍ଟ୍ରି

Published By : Prameya-News7 Bureau | October 29, 2020 IST

ଚେନ୍ନାଇ ୨୯/୧୦:  ବିଶ୍ବର ସବୁଠୁ ବଡ଼ ସ୍ମାର୍ଟଫୋନ୍‌ ନିର୍ମାଣ କମ୍ପାନୀ ଆପଲ୍‌ର ସ୍ମାର୍ଟଫୋନ ପାର୍ଟ ନିର୍ମାଣ କରିବ ଟାଟା ଗ୍ରୁପ୍‌। ଏଥିପାଇଁ ଟାଟା ଗ୍ରୁପ୍‌ ୫୦୦୦ କୋଟି ଟଙ୍କା ବ୍ୟୟରେ ତାମିଲନାଡ଼ୁରେ ଏକ ସ୍ମାର୍ଟଫୋନ୍‌ କମ୍ପୋନେଣ୍ଟ ମ୍ୟାନୁଫ୍ୟକ୍ଚରିଂ ୟୁନିଟ୍‌ ନିର୍ମାଣ କରୁଛି । ଏହି ଫ୍ୟକ୍ଟ୍ରିରେ ଆଇଫୋନ୍‌ ବ୍ୟତୀତ ଆଇପ୍ୟାଡ୍‌, ଆପଲ୍‌ ସ୍କାର୍ଟଓ୍ବାଚ୍ ଓ ମ୍ୟାକବୁକ୍‌ର ଯନ୍ତ୍ରାଂଶ ପ୍ରସ୍ତୁତ କରାଯିବ। ଏଥିପାଇଁ ଆପଲ୍‌ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। କିନ୍ତୁ  ଟାଟା ଗ୍ରୁପ୍‌ ପ୍ରବକ୍ତା କହିଛନ୍ତି କେବଳ ଆପଲ୍‌ ପାଇଁ ନୁହେଁ ବରଂ ବହୁ ନାମୀ ଦାମୀ କମ୍ପାନୀର ଫୋନ୍‌ ଯନ୍ତ୍ରାଂଶ ନିର୍ମାଣ କରିବ ଏହି ଫ୍ୟାକ୍ଟ୍ରି।

ଟାଟା ଗ୍ରୁପ୍‌ର କମ୍ପାନୀ ଟାଟା ଇଲେକ୍‌ଟ୍ରୋନିକ୍ସକୁ ତାମିଲନାଡୁ ଇଣ୍ଡଷ୍ଟ୍ରିଆଲ୍‌ ଡେଭେଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ୍‌ ଫ୍ୟାକ୍ଟ୍ରି ପାଇଁ ୫୦୦ ଏକର ଜମି ପ୍ରଦାନ କରିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ମଙ୍ଗଳବାର ଶିଳାନ୍ୟାସ ହୋଇସାରିଛି। ତେବେ ସ୍ମାର୍ଟଫୋନ ଓ ସ୍ମାର୍ଟଓ୍ବାଚ୍‌ ଯନ୍ତ୍ରାଂଶ ପ୍ରସ୍ତୁତିରେ ଟାଟା ଗ୍ରୁପ୍‌ର ଟାଇଟନ୍‌ ଲିମିଟେଡ୍‌ ଓ ଟାଇଟନ୍‌ ଇଞ୍ଜିନିୟରିଂର ସହାୟତା କରିବ ବୋଲି ହିନ୍ଦୁ ବିଜନେସ୍‌ଲାଇନ୍‌ରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପଟେ ଏହି ପ୍ରୋଜେକ୍ଟରେ ଆପଲ୍‌ ସାମିଲ ନାହିଁ। ତେବେ ଆପଲ୍‌ ପକ୍ଷରୁ ଅର୍ଡର ମିଳିଲେ ଟାଟା ଇେଲେକ୍ଟ୍ରୋନିକ୍ସ କମ୍ପାନୀକୁ ଯନ୍ତ୍ରାଂଶ ପ୍ରସ୍ତୁତ କରି ପଠାଇବ। ଯଦି ଟାଟା ଇେଲେକ୍ଟ୍ରୋନିକ୍ସ ଦ୍ବାରା ପ୍ରସ୍ତୁତ ଯନ୍ତ୍ରାଂଶ ଆପ୍‌ଲ କମ୍ପାନୀକୁ ଭଲ ଲାଗେ ତେବେ ଟାଟା ଗ୍ରୁପ୍‌ ନିବେଶକୁ ୫୦୦୦ କୋଟିରୁ  ୮୦୦୦ କୋଟିକୁ ବୃଦ୍ଧି କରିବ ବୋଲି ଜଣାପଡ଼ିଛି। ଏବେ ଆପଲ୍‌ ପାଇଁ ଭାରତରେ ଫକ୍ସକନ୍‌, ଓ୍ବିଷ୍ଟ୍ରନ୍‌ ଓ  ପେଗାଟ୍ରନ୍‌ ଯନ୍ତ୍ରାଂଶ ତିଆରି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.