‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Published By : Prameya-News7 Bureau | December 18, 2019 IST

ଭୁବନେଶ୍ବର ୧୮/୧୨: ବିଶିଷ୍ଟ ଓଡ଼ିଆ ଗାଳ୍ପିକ,ଲେଖକ ତରୁଣକାନ୍ତି ମିଶ୍ର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଲିଖିତ ପୁସ୍ତକ ‘ଭାସ୍ବତୀ’ ୨୦୧୯ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକାରେ ରହିଛି। ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ତରୁଣକାନ୍ତି ମିଶ୍ର ଜଣେ ଲୋକପ୍ରିୟ ଗାଳ୍ପିକ ଭାବରେ ପରିଚିତ। ତାଙ୍କ ଲିଖିତ ପ୍ରାୟ ୧୮ଟି ପୁସ୍ତକ ପ୍ରକାଶିତ ହୋଇଛି। ସେହି ପୁସ୍ତକଗୁଡ଼ିକ ମଧ୍ୟରେ ‘ଆବର୍ତ୍ତର ଦୁଇଟି ସ୍ବର’, ‘କୋମଳ ଗାନ୍ଧାର’, ‘ନିଃସଙ୍ଗତାର ସ୍ବର’ ,‘ବହୁବ୍ରୀହି’ ,‘ଆଜି ରାତିର ଗଳ୍ପ’, ‘ଲୁବ୍ଧକର ରତି’,‘କେହି ଜଣେ ଏକା ଏକା’ ଆଦି ବେଶ୍ ପରିଚିତ। ତରୁଣକାନ୍ତି ମିଶ୍ର ପୂର୍ବରୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଶାରଳା ପୁରସ୍କାର ପାଇଛନ୍ତି।

{"id":199418,"width":576,"height":384,"sizeSlug":"large"}

ମାତ୍ର ୧୪ବର୍ଷ ବୟସରେ ତରୁଣକାନ୍ତି ମିଶ୍ରଙ୍କର ଗାଳ୍ପିକ ପ୍ରତିଭାର ପରିଚୟ ମିଳିଥିଲା। ସେ ସମୟରେ ପ୍ରସିଦ୍ଧ ପତ୍ରିକା ‘ଆସନ୍ତାକାଲି’ରେ ତରୁଣକାନ୍ତିଙ୍କ ପ୍ରଥମ ଗପ ‘ହେ ପୃଥିବୀର ନାଗରିକ’ ପ୍ରକାଶିତ ହୋଇଥିଲା। ତାଙ୍କର ବିଭିନ୍ନ ପୁସ୍ତକ ହିନ୍ଦୀ ଓ ଇଂରାଜୀ ସହ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ୨୦୧୦ମସିହାରେ ସେ ଆଇଏଏସ ପଦରୁ ଅବସର ପରେ ରାଜ୍ୟ ସୂଚନା କମିଶନର ପଦବୀରେ ଅବସ୍ଥାପିତ ହୋଇଥିଲେ ଏବଂ ୨୦୧୫ମସିହାରେ ଅବସର ନେଇଥିଲେ।

{"id":199420,"sizeSlug":"large"}

ଆଜି ଘୋଷିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକାରେ ତରୁଣକାନ୍ତି ମିଶ୍ରଙ୍କ ବ୍ୟତୀତ ବିଶିଷ୍ଟ ଲେଖକ ଶଶୀ ଥରୁର ଇଂରାଜୀ ସାହିତ୍ୟ ପାଇଁ ,ବଙ୍ଗଳା ଲେଖକ ଚିନ୍ମୟ ଗୁହା, ସାନ୍ତାଳୀ ଲେଖକ କାଳୀ ଚରଣ ହେମ୍ବ୍ରମ୍ ,ହିନ୍ଦୀ ରଚନା ଲାଗି ନନ୍ଦ କିଶୋର ଆଚାର୍ଯ୍ୟ ଏବଂ ସଂସ୍କୃତରେ ଲେଖୁଥିବା ପେନ୍ନା ମଧୁସୂଦନଙ୍କ ସମେତ  ବିଭିନ୍ନ ଭାଷାରେ ଲେଖାଲେଖି କରୁଥିବା ୨୩ଜଣ ଲେଖକ ଏବଂ ସାହିତ୍ୟିକଙ୍କ ନାମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.