ମାସେ ଗଲେ ତାରା ପ୍ରସାଦ ବାହିନୀପତି ଯୋଗଦେବେ ବୋଲି କହିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର
20/11/2018 at 2:36 PM

ଭୁବନେଶ୍ୱର ୨୦/୧୧ : କଂଗ୍ରେସ ବିଜେଡି ଭାଇ ଭାଇ ହୋଇଯାଇଛନ୍ତି | ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଜି ବିଧାନସଭାର ପ୍ରଶ୍ନ କାଳରୁ କଥା ଉଠାଇ ବିଜେପି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ଅଚଳ କରିଦେଇଥିଲା | ମୁଖ୍ୟତଃ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ପୂର୍ବତ୍ତନ କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଚିଠି ଆଧାରରେ ବିଜେପି ଏଭଳି ଅଭିଯୋଗ ଉଠାଇଥିଲା | ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସହ ନରସିଂହ ମିଶ୍ରଙ୍କ ଭିତିରିଆ ସମ୍ପର୍କ କଥା କୁହାଯାଇଛି | ଏହି ପସଂଗକୁ ନେଇ ବିଧାନସଭା ଉଠୁଥିବା ପଡୁଥିବାବେଳେ ଶାସକ ଦଳର ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏକ ଅନୌପଚାରିକ ବିବୃତି ଏବେ ଘଟଣାକୁ ଆହୁରି ଜଟିଳ କରିଛି | ଏକ ସଂଘାତିକ ମନ୍ତବ୍ୟ ଦେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, ଆଉ ମାସ କେଇଟା ପରେ ତାରା ବାହିନୀପତି ବିଜେଡିରେ ଯୋଗ ଦେବେ | କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନରେ ସେ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ କହିଛନ୍ତି | ଏକଥା ଏବେ ନୁହେଁ ମାସେ ତଳେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏକ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ସର୍ବ ସମ୍ମୁଖରେ ସେ କହିଥିବା ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି | ଏହି ଉତ୍ସବରେ ତାରା ବାହିନୀପତି ମଧ୍ୟ ଉପସ୍ଥିତ ଥିଲେ | ସେହିଭଳି କେବଳ ତାରା ନୁହନ୍ତି ବଲାଙ୍ଗୀରରେ ମଧ୍ୟ ଏକ ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ନରସିଂହ ମିଶ୍ରଙ୍କ ସହ ବିଜେଡିର ଖୁବ ଭଲ ସମ୍ପର୍କ ବୋଲି ସେ କହିଥିବା ସୂର୍ଯ୍ୟ ପାତ୍ର ସୂଚନା ଦେଇଥିଲେ | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ମନ୍ଦିର ଉଦଘାଟନ ଉତ୍ସବରେ ସେ ଦେଇଥିବା ଆଉ ଏକ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେବା ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ ଯେ, ଲୋକଙ୍କୁ ଭାଷଣ ଦେଲାବେଳେ ସେ ସ୍ପଷ୍ଟ କରିଦେଇଛନ୍ତି, ବିଧାନସଭାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହେଉଥିବା ଝଗଡା କେବଳ ଏକ ଡ୍ରାମା | ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏହି ଅନୌପଚାରିକ କଥାବାର୍ତ୍ତାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରାଯାଇଛି | ପରେ ପୁଣି ଯେତେବେଳେ ସୂର୍ଯ୍ୟ ପାତ୍ରଙ୍କୁ ବିଧିବଦ୍ଧ ଭାବେ ଏସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ସେତେବେଳେ ସୂର୍ଯ୍ୟ ସମ୍ଭବତଃ କଥାର ଗୁରୁତ୍ୱକୁ ଉପଲବ୍ଧି କରିଥିଲେ | ସେଥିପାଇଁ ପ୍ରଶ୍ନକୁ ଏଡାଇ ଯିବା ଲାଗି ଚେଷ୍ଟା କରିବା ସହ ଏହାକୁ ହାଲକା କରିବା ପାଇଁ କହିଥିଲେ ଯେ, କଂଗ୍ରେସର ସବୁ ନେତା ବିଜେଡିକୁ ଚାଲିଆସିବେ |