ତାତିଲେ ତାରା, ରାହୁଲଙ୍କ ଦୁଆରରେ ବସିବ ରାଜ୍ୟ ମହିଳା କଂଗ୍ରେସ: ଜାଣନ୍ତୁ କାରଣ

Published By : Prameya-News7 Bureau | March 19, 2019 IST

ଅଧ ରାତିରେ ଟିକଟ ଘୋଷଣା କଲା କଂଗ୍ରେସ । ହେଲେ ଦିନ ଦ୍ୱିପ୍ରହରରେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଟିକଟ ତାଲିକା ଦେଖି ଚିହଁକିଛି ମହିଳା କଂଗ୍ରେସ । ସେପଟେ ଜୟପୁର ବିଧାୟକ ତାରାବାହିନୀପତି ବି ରାଗ ଝାଡ଼ିଛନ୍ତି ।


ରାହୁଲ କହିଥିଲେ ଅଧିକ ମହିଳାଙ୍କୁ ସୁଯୋଗ ମିଳିବ । ହେଲେ ତାହା ହେଉନି । ତେଣୁ ରାହୁଲଙ୍କ ଦୁଆରେ ବସିବୁ । ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହେଉ ହେଉ କଂଗ୍ରେସରେ କମ୍ପନ । ଓଡ଼ିଶା ଲାଗି ଘୋଷଣା ହୋଇଥିବା ୬ ଲୋକସଭାରେ ଜଣେ ବି ମହିଳାଙ୍କ ନାଁ ନାହିଁ । ୩୬ ବିଧାନସଭା ଆସନରେ ମାତ୍ର ଜଣେ ମହିଳାଙ୍କୁ ସୁଯୋଗ ମିଳିଛି । ଯାହାକୁ ଦେଖି ତାତିଛି ରାଜ୍ୟ ମହିଳା କଂଗ୍ରେସ । ଖୋଦ୍ ସଭାନେତ୍ରୀ କହିଛନ୍ତି, ଏହା ମହିଳାଙ୍କ ପ୍ରତି ଅନ୍ୟାୟ । ଘୋଷିତ ୩୬ ଆସନ ଲାଗି ୧୦ ମହିଳାଙ୍କ ନାଁ ସୁପାରିସ ହୋଇଥିଲା । ସେହିଭଳି ୧୪୭ ଆସନ ଲାଗି ୫୨ ଜଣ ମହିଳାଙ୍କ ନାଁ ପ୍ରସ୍ତାବ ହୋଇଛି । ତେଣୁ ପରବର୍ତ୍ତୀ ଦଫାରେ ମହିଳାଙ୍କ ନାଁ ବେଶୀ ନ ରହିଲେ, ସେ ଏହାର ପ୍ରତିବାଦ କରିବେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦୁଆରେ ବସିବେ । ତେବେ ଖାଲି ରାଜ୍ୟ ସଭାନେତ୍ରୀ ନୁ ହେଁ, ଅନ୍ୟ ପଦାଧିକାରୀ ବି ମୁହଁ ଖୋଲି ବିଦ୍ରୋହର ଧମକ ଦେଇଛନ୍ତି ।


ଖାଲି ମହିଳା କଂଗ୍ରେସ ନୁହେଁ, ଜୟପୁର ଲାଗି ଟିକଟ ପାଇଥିବା ତାରା ବାହିନୀପତି ବି ତାତିଛନ୍ତି । କୋଟପାଡ଼ ଓ ଲକ୍ଷ୍ମୀପୁର ଆସନରେ କଂଗ୍ରେସ ବିଧାୟକ ଥିବା ବେଳେ ପ୍ରାର୍ଥୀ ନାଁ କାହିଁକି ଘୋଷଣା ହୋଇନି ପ୍ରଶ୍ନ କରିଛନ୍ତି । ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଆଡ଼କୁ ଆଙ୍ଗୁଳି ଉଠାଇ କହିଛନ୍ତି, ସେ ଯାହାକୁ ଚାହଁଛନ୍ତି ଟିକଟ ଦେଉଛନ୍ତି, ଯାହାର ଇଚ୍ଛା କାଟୁଛନ୍ତି । ସେପଟେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଥିବା ସତ୍ତ୍ବେ କାହିଁକି କୋରାପୁଟ ଲୋକସଭା ଲାଗି ପ୍ରାର୍ଥୀଙ୍କ ନାଁ ଆସିନି ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ପସନ୍ଦର ପ୍ରାର୍ଥୀ ଟିକଟ ନ ପାଇଲେ ସେ ଅସନ୍ତୋଷ ଜାହିର୍ କରିବେ ବୋଲି କହିଛନ୍ତି । ସେପଟେ ଉଭୟ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହାର ଉତ୍ତର ରଖିଛନ୍ତି ।

ତାରା କହିଛନ୍ତି ପଶ୍ଚିମ ଓଡ଼ିଶା କଂଗ୍ରେସର ଗଡ଼, କିନ୍ତୁ ଟିକେଟ ବଣ୍ଟାରେ ସବୁ ଗଡ଼ବଡ଼ । ଯେଉଁମାନେ ଦଳରେ ଅଧିକ ପରିଶ୍ରମ କରନ୍ତି ତାଙ୍କୁ ଗୁରୁତ୍ବ  ଦିଆଯାଏନି ।ସେ ଯାହା କହିଲେ ବି ତାଙ୍କ କଥାରେ କିଛି ଗୁରୁତ୍ବ ନାହିଁ ବୋଲି ତାରା କହିଛନ୍ତି । ଅନ୍ୟପଟରେ ପିସିସି ସଭାପତି ନିରଂଜନ କହିଛନ୍ତି , ତାରା ବୁଝିବାରେ କିଛି ଭୁଲ ରହିଯାଇଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ କଂଗ୍ରେସର ଟିକେଟ ବଣ୍ଟା ଓ ଭଲ କର୍ମୀମାନଙ୍କୁ ଟିକେଟ  ନ ମିଳିବା ମଧ୍ୟ ଦୁର୍ଭାଗ୍ୟଜନକ । ବରଗଡ଼ ଆସନରୁ ବିଧାୟକ ପ୍ରାର୍ଥୀରୂପେ ଜିତିଥିବା ସାଧୁ ନେପାକ ମଧ୍ୟ ଛାଡ଼ିଛନ୍ତି ଦଳ ।


ଅଧ ରାତିରେ କଂଗ୍ରେସ ଘୋଷଣା କରିଛି ଟିକଟ । ହେଲେ ଦିନ ଦ୍ବିପ୍ରହରରେ ଦେଖାଦେଲାଣି ଅସନ୍ତୋଷ । ଏ ସବୁ ଦେଖି ପିସିସି ସଭାପତି କହିଛନ୍ତି ପରବର୍ତ୍ତୀ ଟିକଟ ଘୋଷଣା ମାର୍ଚ୍ଚ ୨୨ ପରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.