ଯୌନ ଉତ୍ପୀଡନ ପ୍ରସଙ୍ଗ : ନାନା ପାଟେକର ଏବଂ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସରେ ଏତଲା ଦେଲେ ତନୁଶ୍ରୀ ଦତ୍ତ

Published By : Prameya-News7 Bureau | October 07, 2018 IST

ମୁମ୍ବାଇ ୭|୧୦:  ଶେଷରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗତକାଲି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ପୋଲିସରେ ଏତଲା ଦାୟର କରିଛନ୍ତି । ଗତ କିଛିଦିନ ଧରି ତନୁଶ୍ରୀ ଗଣମାଧ୍ୟମରେ ନାନା ପାଟେକର ତାଙ୍କ ସହ ୮ବର୍ଷ ତଳେ କରିଥିବା ଅସଦ ବ୍ୟବହାର ଏବଂ ଯୌନ ଉତ୍ପୀଡନ ସମ୍ପର୍କରେ କହି ଆସୁଥିଲେ । ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ବେଳେ ନାନା ପାଟେକର ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ ବୋଲି ତନୁଶ୍ରୀ କହିଆସୁଥିଲେ । ଏପରିକି ତନୁଶ୍ରୀ ନାନା ପାଟେକରଙ୍କ ସମେତ ଡ୍ୟାନ୍ସ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ଏତଲା ଦାୟର କରିଥିବା ଜଣାପଡିଛି । ଶନିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ତନୁଶ୍ରୀ ମୁମ୍ବାଇର ଅନ୍ଧେରୀ ଅନ୍ତର୍ଗତ ଓଶିବରା ଥାନାରେ ପହଞ୍ଚିଥିଲେ । ସେଟାରେ ସେ ପ୍ରାୟ ଘଣ୍ଟାଏ କାଳ ରହିବା ସହ ନାନା ପାଟେକର ଏବଂ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରି ଏତଲା ଦାୟର କରିଛନ୍ତି । ଅପରପକ୍ଷରେ ଗତ କିଛିଦିନ ହେଲା ‘ହାଉସଫୁଲ-୪’ର ସୁଟିଂ ପାଇଁ ରାଜସ୍ଥାନରେ ଥିବା ନାନା ପାଟେକର ସୁଟିଂ ସାରି ମୁମ୍ବାଇ ଫେରିଛନ୍ତି । ତନୁଶ୍ରୀଙ୍କ ଅଭିଯୋଗ ପ୍ରସଙ୍ଗରେ ଅତିଶୀଘ୍ର ସେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ତନୁଶ୍ରୀ ବିଭିନ୍ନ ଗଣମାଧ୍ୟମରେ ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିବା ପରେ ନାନା ପାଟେକର ଏହାକୁ ଖଣ୍ଡନ କରିଛନ୍ତି । ଏପରିକି ଏ ନେଇ ତନୁଶ୍ରୀଙ୍କୁ ଓକିଲ ନୋଟିସ୍ ମଧ୍ୟ ନାନା ପଠାଇଛନ୍ତି । ତନୁଶ୍ରୀ ଏଭଳି ମିଥ୍ୟା ଅଭିଯୋଗ କରି ତାଙ୍କର ସମ୍ମାନ ହାନୀ କରିଛନ୍ତି ବୋଲି ନୋଟିସରେ କୁହାଯାଇଛି । ଏଥିପାଇଁ ଯଥାଶୀଘ୍ର ତନୁଶ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିବାକୁ ନାନା ପାଟେକର ବାଧ୍ୟ ହେବେ ବୋଲି ମଧ୍ୟ ଏହି ନୋଟିସରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ନାନା ପାଟେକରଙ୍କ ବିରୋଧରେ ଗଣମାଧ୍ୟମରେ ତନୁଶ୍ରୀ ଯୌନ ଉତ୍ପୀଡନ ଅଭିଯୋଗ କରିବାପରେ ବଲିଉଡ୍ ଦୁଇଭାଗରେ ବିଭକ୍ତ ହୋଇଯାଇଛି । କିଛି ଅଭିନେତା ଅଭିନେତ୍ରୀ ତନୁଶ୍ରୀଙ୍କୁ ସମର୍ଥନ କରିଥିବାବେଳେ କିଛି ନାନା ପାଟେକରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ତନୁଶ୍ରୀ ମିଡିଆ ଟ୍ରାଏଲ ନକରି ପୋଲିସ ନିକଟରେ କାହିଁକି ଅଭିଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଥିଲା । ରାଜସ୍ଥାନରୁ ସୁଟିଂ ସାରି ଫେରିବାପରେ ନାନା ପାଟେକର ଏ ବାବଦରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜାଣିବାପରେ ତନୁଶ୍ରୀ ପୋଲିସରେ ଏତଲା ଦେଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.