ସୋର ୮|୬: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ପରେ ବି ପରିବାରଲୋକଙ୍କ ମନ ମାନିଲାନି । ଗୁଣିଆକୁ ଫୋନ୍ କରିଲେ ଆଉ ତିନି ଜଣ ଗୁଣିଆ ମହିଳାଙ୍କ ଦେହରୁ ବିଷ ଝାଡିଲେ । ହେଲେ ଶେଷରେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ନିରାଶ ହେବାକୁ ପଡିଛି ।
ଏଭଳି ଅଭାବନୀୟ ଘଟଣା ସୋର ଥାନା ଚମ୍ପୁ ଗାଁରେ ଘଟିଛି । ଗାଁର କୈଳାସ ସାହୁଙ୍କ ସ୍ତ୍ରୀ ଭାରତୀ ଘର ବାହାରକୁ ଯାଇଥିବାବେଳେ ତାଙ୍କୁ ବିଷଧର ସାପ କାମୁଡିଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ପରିବାର ଲୋକ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାରତୀଙ୍କ ମୃତ୍ୟୁକୁ ପରିବାରଲୋକ ସହଜରେ ଗ୍ରହଣ କରିପାରିନଥିଲେ । ପରିବାରଲୋକ ତାଙ୍କ ଜୀବନ ବଞ୍ଚିଯିବା ଆଶାରେ ଗୁଣିଗାରେଡିର ଆଶ୍ରୟ ନେଇଥିଲେ । ବାରିପଦା ଓ ବାଗୁଡି ଅଞ୍ଚଳର ତିନି ଜଣ ଗୁଣିଆ ମୋବାଇଲ ମାଧ୍ୟମରେ ଝଡାଫୁଙ୍କା ଆରମ୍ଭ କରିଥିଲେ । ଗୁଣିଆ ମାନେ ସେପଟେ ମନ୍ତ୍ର ପଡିଥିବାବେଳେ ଏପଟେ ପରିବାରଲୋକଙ୍କୁ ମୋବାଇଲକୁ ମୃତ ଭାରତୀଙ୍କ କାନ ପାଖରେ ଲଗାଇବା ସହିତ ମୋବାଇଲକୁ ତାଙ୍କ ଦେହରେ ଘସିବାକୁ କହିଥିଲେ। ଏଭଳି ଦୀର୍ଘ ଦେଢ ଘଣ୍ଟା ଚାଲିବା ପରେ ମୃତ ଭାରତୀକୁ ବଞ୍ଚାଇବାରେ ଗୁଣିଆମାନେ ବିଫଳ ହୋଇଥିଲେ। ଗୁଣିଆମାନେ ମୃତ ଭାରତୀକୁ ବଞ୍ଚାଇବାରେ ବିଫଳ ହେବା ପରେ ମୃତ ଭାରତୀ ପରିବାର ଗୁଣିଗାରେଡି ଖବରକୁ ଅସ୍ବୀକାର କରିଛନ୍ତି ।