Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବ୍ୟାଙ୍କ କଣ ସରକାରଙ୍କ ଉପରେ ? ମାତ୍ର ୧୫ଶହ ଟଙ୍କା ପାଇଁ…

14/06/2020 at 10:29 AM

ନୂଆପଡା ୧୪।୦୬: ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରାଯାଉଛି । କିନ୍ତୁ ସବୁ ଯୋଜନା କଣ ଲୋକ ଲୋକଙ୍କପାଖରେ ପହଞ୍ଚିଛି । ଯେପରି କିଛି ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଲୋକ । ସରକାର ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଦେଖାଇଛନ୍ତି । ବୟସ୍କଙ୍କ ସହାୟତା ଅର୍ଥ ଘରେ ନେଇ ବ୍ୟାଙ୍କ ପହଞ୍ଚାଇବା ପାଇଁ ବି ବ୍ୟବସ୍ଥା କରିଥିବା କଥା କୁହାଯାଉଛି । ହେଲେ ଜଣେ ବୃଦ୍ଧାଙ୍କୁ ଖଟିଆରେ ଟାଣି ଟାଣି ବ୍ୟାଙ୍କରେ ପହଞ୍ଚିବାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଖଟିଆରେ ୧୨୦ ବର୍ଷିୟ ବୃଦ୍ଧାଙ୍କୁ ଟାଣି ଟାଣି ନେଉଛନ୍ତି ଅନ୍ୟ ଜଣେ ୬୦ ବର୍ଷିୟ ବୃଦ୍ଧା । ଏବେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଛି ଖଟିଆ ଟଣା କଥା । ଦୃଶ୍ୟଟି ହେଉଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବରଗାଁ ଗାଁର ।

କଂକ୍ରିଟ୍‌ ରାସ୍ତାରେ ଜଣେ ବୟସ୍କା ମହିଳା ଏକ ଖଟିଆକୁ ଟାଣିଟାଣି ନେଉଥାଆନ୍ତି । ଖଟିଆରେ ଜଣେ ଜରାଗ୍ରସ୍ତ ଶତାୟୁ ବୃଦ୍ଧା ନିର୍ବିକାର ଅବସ୍ଥାରେ ପଡ଼ିଥାନ୍ତି । ଲୋଚାକୋଚା ଶରୀର, କ୍ଷୀଣ ସ୍ୱର । ଏଭଳି ସ୍ପର୍ଶକାତର ଦୃଶ୍ୟ ସଭିଙ୍କୁ ବିଚଳିତ କରିଥିଲା । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବରଗାଁରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୂରା ଘଟଣା ଘଟିଛି ନିର୍ଦ୍ଦୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଇଁ । ବାସ୍ତବ ସ୍ଥିତିକୁ ନ ବୁଝି ଗୋଟିଏ ଗରିବ ଅସହାୟ ପରିବାରର ଗୁହାରିକୁ ଅଣଦେଖା କଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ନିୟମର ପାଠ ପଢ଼ାଇଲେ । ଏଭଳି ହୃଦୟହୀନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଇଁ ମାତ୍ର ୧୫୦୦ ଟଙ୍କା ଉଠାଇବା ଲାଗି ଅସହାୟ ଝିଅ ୧୨୦ ବର୍ଷ ବୟସ୍କା ମା’କୁ ଖଟିଆରେ ଟାଣି ଟାଣି ନେବାକୁ ବାଧ୍ୟ ହେଲା । ପାଖାପାଖି ଅଧ କିଲୋମିଟର ରାସ୍ତା ସେ ଏମିତି ଚାଲିଲା ।

ପୂରା ଘଟଣାଟି ଏଭଳି । ବରଗାଁର ଲବେ ବାଗ୍‌(୧୨୦ ବର୍ଷ) ଝିଅ ପୁଞ୍ଜିିମତୀ (୬୦) ଓ ଜ୍ୱାଇଁ ପବନ ଶିକାଙ୍କ ସହିତ ରୁହନ୍ତି । ସେମାନଙ୍କ ଜମିବାଡ଼ି କିଛି ନାହିଁ । ଶାରୀରିକ ଦୁର୍ବଳତା ଯୋଗୁ କେହି କାମଧନ୍ଦା କରିପାରୁନାହାନ୍ତି । ପୂରା ପରିବାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନଧନ ଆକାଉଣ୍ଟ ଜରିଆରେ ଗରିବ ଲୋକଙ୍କୁ ସହାୟତା ରାଶି ଦେଉଛନ୍ତି । ଗତ ମାର୍ଚ୍ଚ ମାସଠାରୁ ଲବେ ବାଗ୍‌ଙ୍କ ଜନଧନ ଆକାଉଣ୍ଟରେମାସିକ ୫ଶହ ଟଙ୍କା ଲେଖାଏଁ ଆସୁଛି । ଏଭଳି ଭାବେ ତାଙ୍କ ଆକାଉଣ୍ଟରେ ୧୫ ଶହ ଟଙ୍କା ଜମା ହୋଇଥିଲା । ଏହି ଟଙ୍କା ଉଠାଇ ପରିବାର ଚଳାଇବା ପାଇଁ ଝିଅ ପୁଞ୍ଜିମତୀ ଉଦ୍ୟମ କରିଥିଲେ । ଟଙ୍କା ଉଠାଣ ପାଇଁ ଗାଁରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲେ । ହେଲେ ହିତାଧିକାରୀ ନିଜେ (ଲବେ ବାଗ୍‌) ବ୍ୟାଙ୍କକୁ ନ ଆସିବା ପର୍ଯ୍ୟନ୍ତ କୌଣସି ଟଙ୍କା ମିଳିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିିଥିଲେ ।

ପୁଞ୍ଜିମତୀ ନେହୁରା ହୋଇ କହିଥିଲେ, ୧୨୦ ବର୍ଷର ବୃଦ୍ଧା ମା’ । ଜରାଜୀର୍ଣ୍ଣ ଅବସ୍ଥାରେ ଖଟିଆରେ ପଡ଼ିଛି । ଚଲାବୁଲା ତ ଦୂରର କଥା, ଉଠିବସି ପାରୁନି । ଏ ଅବସ୍ଥାରେ ମା’ କେମିତି ବ୍ୟାଙ୍କ ଆସିପାରିବ? କିଛି ଶୁଣିଲେନି ବ୍ୟାଙ୍କ କର୍ତ୍ତୃପକ୍ଷ । ପରେ ପୁଞ୍ଜିମତୀ ଗାଁ ୱାର୍ଡ ମେମ୍ବର ହୁମାୟୁନ ବଘେଲଙ୍କୁ ଦୁଃଖ ଜଣାଇଲେ । ୱାର୍ଡ ମେମ୍ବର ଶ୍ରୀ ବଘେଲ ବ୍ୟାଙ୍କକୁ ଯାଇ ଲବେ ଏବଂ ପୁଞ୍ଜିମତୀଙ୍କ ଗ୍ୟାରେଣ୍ଟି ଦେଇଥିଲେ । ସେ ବ୍ୟକ୍ତିଗତ ଭାବେ ଲବେଙ୍କୁ ଜାଣିିଥିବାରୁ ବୃଦ୍ଧାଙ୍କ ଜମା ଟଙ୍କା ଅସହାୟ ଝିଅକୁ ପ୍ରଦାନ କରିବାକୁ ଅନୁରୋଧ କଲେ । ତଥାପି କିଛି ଲାଭ ହେଲାନି । ମା’ ଲବେ ବାଗ୍‌ ବ୍ୟାଙ୍କକୁ ଆସି ଦସ୍ତଖତ ନ ଦେବା ପର୍ଯ୍ୟନ୍ତ ଜମାଖାତାରୁ ଟଙ୍କା ଉଠିପାରିବ ନାହିଁ ବ୍ୟାଙ୍କ କର୍ତ୍ତୃପକ୍ଷ ରୋକଠୋକ୍‌ ଶୁଣାଇ ଦେଲେ । ବ୍ୟାଙ୍କ ଯାଏଁ ଗାଡ଼ି ଭଡ଼ା କରି ୧୨୦ ବର୍ଷର ଜରାଜୀର୍ଣ୍ଣ ମା’କୁ ନେବା ଲାଗି ପୁଞ୍ଜିମତୀଙ୍କ ପାଖରେ ଟଙ୍କା ନଥିଲା । ସେ ବାଧ୍ୟ ହେଲେ ଏକ ଦୁଃଖଦ ନିଷ୍ପତ୍ତି ନେବାକୁ । ଦାରିଦ୍ର‌୍ୟର ଯନ୍ତ୍ରଣା ସହିନପାରି ବୃଦ୍ଧା ମା’ଙ୍କୁ ପ୍ରଥମେ ଖଟିଆରେ ବୋହି ନେବାକୁ ଉଦ୍ୟମ କରିଥିଲେ । ଏହା ତାଙ୍କ ପକ୍ଷେ ସମ୍ଭବ ହେଲାନାହିଁ । ଶେଷରେ ମା’ଙ୍କୁ ଖଟିଆରେ ଶୁଆଇ ଗାଁ ଦାଣ୍ଡରେ ଟାଣିଟାଣି ବ୍ୟାଙ୍କକୁ ଯାଇଥିଲେ ୬୦ ବର୍ଷୀୟ ଝିଅ ପୁଞ୍ଜିିମତୀ । ୧୨୦ ବର୍ଷର ମା’କୁ ଖଟିଆରେ ଟାଣି ଟାଣି ପ୍ରାୟ ୫୦୦ ମିଟର ରାସ୍ତା ଅତିକ୍ରମ କରି ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଲୋକେ ଅବାକ୍‌ ହୋଇଥିଲେ । କେହିକେହି ଘଟଣାର ଚିତ୍ରୋତ୍ତୋଳନ ବି କରୁଥିଲେ । ହେଲେ ଏଭଳି ଦୃଶ୍ୟ ଦେଖି ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ହୃଦୟ ତରଳି ନଥିଲା । ସମବେଦନାର ପଦଟିଏ ବି କହିଲେନି ।

କେବଳ ତାଙ୍କ ଟଙ୍କା ଉଠାଇ ପୁଞ୍ଜିମତୀଙ୍କ ହାତରେ ଧରାଇ ଦେଇଥିଲେ । କାହାକୁ କିଛି ନକହି ପୁଞ୍ଜିମତୀ ୧୫ ଶହ ଟଙ୍କା ଧରି ମା’ ସହ ଘରକୁ ଫେରି ଆସିଥିଲେ । ଘଟଣାଟି ଗତ ଗୁରୁବାର ଘଟିଥିଲା । ହେଲେ ଏହାର ଭିଡିଓ ଭାଇରାଲ୍‌ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ ନାଗରିକଙ୍କୁ ଦୁଆର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବ୍ୟାଙ୍କ ଜଣେ ଶତାୟୁ ମହିଳାଙ୍କୁ ଏଭଳି ହଟହଟା କରିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସାଧାରଣରେ ଚର୍ଚ୍ଚା ହେଉଛି, କରୋନା ଭୂତାଣୁ ଠାରୁ ବି ବଳିଯାଇଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦୟତା । ଏ ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ଅଜିତ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଜାଣିଶୁଣି ଏଭଳି ହୋଇନାହିଁ । ବ୍ୟାଙ୍କରେ ସେତେବେଳେ ପ୍ରବଳ ଭିଡ଼ ଥିଲା । ତେଣୁ ତାଙ୍କୁ ସାହାଯ୍ୟ କରିପାରିନଥିଲୁ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ସଫେଇକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ ।

   Related Posts