୨୬ ଜାନୁୟାରୀରେ ଏକଠି ଚାଲିବ ଟ୍ୟଙ୍କ୍ ଓ ଟ୍ରାକ୍ଟର ! ଆଜି ହୋଇଛି ଟ୍ରେନିଂ: ରାକେଶ ଟିକୈତ
7/01/2021 at 10:01 PM

ନୂଆଦିଲ୍ଲୀ ୭।୧: କେନ୍ଦ୍ର ସରକାରଙ୍କ ୩ କୃଷି ବିରୋଧୀ ଆଇନକୁ ନେଇ ଏବେବି ଗତିରୋଧ ଜାରି ରହିଛି। କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସୀମାକୁ ଘେରି ରହିଥିବା ଚାଷୀମାନେ ଗୁରୁବାର ସହର ଚତୁପାର୍ଶ୍ୱରେ ଟ୍ରାକ୍ଟର ପରେଡ ପୂର୍ବକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଟ୍ରାକ୍ଟର ପରେଡ ପରେ କୃଷକ ସଂଘ ମୁଖାପାତ୍ର ରାକଶ ଟିକୈତ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଓ ଚାଷୀଙ୍କ ଏହି ପରେଡ ବାସ୍ତବିକ ଚିତାକର୍ଷକ ବୋଲି କହିଥିଲେ।

ସେ କହିଛନ୍ତି ଯେ ୨୬ ଜାନୁୟାରୀରେ ଯେପରି ଟ୍ରାକ୍ଟର ପରେଡ ବାହାରିପାରିବ ସେଥିଲାଗି ଆଜି ଆମ ଚାଷୀଭାଇ ଟ୍ରାକ୍ଟର ଚଳାଇ ଟ୍ରେନିଂ ନେଇଛନ୍ତି। ସାଧାରଣତନ୍ତ୍ର ଦିବର ପରେଡରେ ଚାଷୀର ଟ୍ରାକ୍ଟର ଓ ସେନାର ଟ୍ୟାଙ୍କ ଏକାଠି ଚାଲିବ। ଟ୍ରାକ୍ଟର ୨ଟି ଧାଡିରେ ଓ ଟ୍ୟାଙ୍କ ଗୋଟିଏ ଧାଡିରେ ଚାଲିବେ। ସେଦିନ ପରେଡ ଦେଖିବା ଲାଗି ବହୁସଂଖ୍ୟାରେ ଲୋକେ ଦିଲ୍ଲୀ ଆସିବେ ବୋଲି ଟିକୈତ କହିଛନ୍ତି।

ଚାଷୀଙ୍କ ଆନ୍ଦୋଳନ ଆଗକୁ ଆହୁରି ତିବ୍ର ହେବ ବୋଲି ଟିକୈତ ସରକାରଙ୍କୁ ସତର୍କ କରାଇଦେଇଛନ୍ତି। ସରକାର ଯଦି ଚାଷୀଙ୍କ ଦାବି ନ ମାନନ୍ତି ତେବେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗରୁ ଟ୍ରାକ୍ଟର ପରେଡ ଦିଲ୍ଲୀ ଅଭିମୁଖେ ବାହାରିବ। ଏହା ପୂର୍ବରୁ ରାଜଧାନୀରେ ଚାଷୀ ସେମାନଙ୍କ ଟ୍ରାକ୍ଟର ରିହର୍ସେଲ କରିନେଇଥିବା ସେ କହିଛନ୍ତି।

ସରକାର ୮ ଜାନୁୟାରୀ ଶୁକ୍ରବାର ଚାଷୀଙ୍କ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ। ତେବେ ଆଇନ ପ୍ରତ୍ୟାହାର ଦାବିରେ ଅଡିଯାଇଥିବା ଚାଷୀ ଏବେ ସରକାରଙ୍କ ସହ ଆର-ପାର ଲଢେଇ ଲଢିବାକୁ ପ୍ରସ୍ତୁତ ହୋଇସାରିଥିବା ଟ୍ରାକ୍ଟର ରାଲି କରି ଜଣାଇ ଦେଇଛନ୍ତି। ଏଥିପାଇଁ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଗୁରୁବାର ୪୩ ଦିନରେ ମଧ୍ୟ ଜାରି ରହିଛି।