ବିଜ୍ଞାପନ ହଟାଇବା ପରେ ତନିଷ୍କ ରଖିଲା ମତ, ମିଳିଲା ASCIର ସମର୍ଥନ

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪/୧୦: ଲୋକପ୍ରିୟ ଜୁଏଲାରି ବ୍ରାଣ୍ଡ୍ ତନିଷ୍କ ତାର ଏକ ନୂଆ ଭିଡ଼ିଓ ବିଜ୍ଞାପନ ପାଇଁ ବିବାଦ ଘେରରେ ରହିଛି। ଏ ପାଇଁ ଲୋକଙ୍କର କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବିଜ୍ଞାନପନଟି ଇଣ୍ଟରକାଷ୍ଟ ବାହାଘର ଉପରେ ଆଧାରିତ ଥିବାରୁ ବିବାଦ ଘନେଇବାରୁ କମ୍ପାନି ଏଇ ନୂଆ ଭିଡିଓ ବିଜ୍ଞାପନକୁ ହଟାଇ ଦେଇଛି। ଏହା ସହ ସେ ଏକ ବିଜ୍ଞପ୍ତି ଜାରି କରି କହିଛି ଏତେ ସଂଖ୍ୟକ ଲୋକଙ୍କ ଭାବନାକୁ ଦୁଃଖ ପହଞ୍ଚାଇ ଥିବାରୁ ଦୁଃଖିତ ଓ କର୍ମଚାରୀଙ୍କ ହିତ ପାଇଁ ଏହାକୁ ପ୍ରତି ପ୍ଲାଟଫର୍ମରୁ ହଟାଯାଇଛି।

ଏହା ସହ କମ୍ପାନି କହିଛି ‘ଏକତ୍ବମ ଅଭିଯାନ’ ଜରିଆରେ ବିଭିନ୍ନ କ୍ଷେତ୍ରର ଲୋକଙ୍କ ସହ ଏକସଙ୍ଗରେ ଉତ୍ସବ ପାଳନ କରିବାର ଏହା ଏକ ପରିକଳ୍ପନା ଥିଲା। ସ୍ଥାନୀୟ ସମୁଦାୟ ଓ ପରିବାର ଏହି ସଙ୍କଟ କାଳରେ ଏକତାର ଉତ୍ସବ ପାଳନ କରନ୍ତି। ତେବେ ଏହା ଉପରେ ବିପରୀତ ପ୍ରତିକ୍ରିୟା ଆସିଲା। ଅଜାଣତରେ ଲୋକଙ୍କୁ ଦୁଃଖ ପହଞ୍ଚାଇ ଥିବାରୁ କମ୍ପାନି ଦୁଃଖ ପ୍ରକାଶ କରିଛି।

{"id":344236,"sizeSlug":"large"}

ତେବେ ଆଡଭଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ୍ ଇଣ୍ଡିଆ (ଏଏସସିଆଇ) ତନିଷ୍କକୁ ସମର୍ଥନ କରିଛି। ଏଇ ବିଜ୍ଞାପନ ବିରୋଧରେ ଯେଉଁ ଅଭିଯୋଗ କରାଯାଇଛି ତାକୁ ସେ ଖଣ୍ଡନ କରିଛି। କେବଳ ଏତିକି ନୁହେଁ ସେ କହିଛି ବିଜ୍ଞାପନରେ କୌଣସି ପ୍ରକାର ନିୟମକୁ ଉଲ୍ଲଘଂନ କରାଯାଇ ନାହିଁ। ଏହି ବିଜ୍ଞାପନରେ ସଚ୍ଚୋଟତା, ସତ୍ୟତା ଓ ଶାଳୀନତା ଆଦି ଉପରେ ଏଏସସିଆଇର କିଛି ବି କୋଡର ଉଲ୍ଲଘଂନ ହୋଇ ନାହିଁ। ବିଜ୍ଞାପନ ପ୍ରସାରଣରେ ମଧ୍ୟ କୌଣସି ଆପତ୍ତି ନାହିଁ। ଅଭିଯୋଗ ମିଳିବା ପରେ ଉପଭୋକ୍ତା ଅଭିଯୋଗ ପରିଷଦ ଏହାର ସମୀକ୍ଷା କରିଥିଲେ। ଏହି ପ୍ୟାନେଲରେ ସର୍ବସମ୍ମତିରେ କହିଛି ଯେ ବିଜ୍ଞାପନରେ କିଛି ଅଶୋଭନୀୟ ବିଷୟ କି ଛବି ନାହିଁ ଯେଉଁଥିରେ ଗମ୍ଭୀର କି ବ୍ୟାପକ ଅପରାଧ ହେବ।

ଉଲ୍ଲେଖନୀୟ ତନିଷ୍କର ଏହି ପ୍ରମୋସନାଲ ବିଜ୍ଞାପନରେ ଜଣେ ହିନ୍ଦୁ ଯୁବତୀଙ୍କୁ ମୁସଲିମ ପରିବାରର ବୋହୂ ଭାବେ ଦେଖାଯାଇଛି। ଯୁବତୀଙ୍କ ବିବହା ମୁସଲିମ ପରିବାରରେ ହୋଇଛି ଏବଂ ପରେ ମହିଳାଙ୍କ ବେବି ଶାଓ୍ଵାରର ଉତ୍ସବ ପାଳନ ହେଉଛି। ଏଥିରେ ହିନ୍ଦୁ ସଂସ୍କୃତିକୁ ଦୃଷ୍ଟିରେ ରଖି ମୁସଲିମ ପରିବାର ସବୁ ପ୍ରକାରର ରୀତି ନୀତି ହିନ୍ଦୁ ଧର୍ମ ହିସାବରେ ଆୟୋଜନ କରିଛନ୍ତି।

ବିଜ୍ଞାପନ ଶେଷ ବେଳକୁ ଗର୍ଭବତୀ ମହିଳା ନିଜର ଶାଶୁଙ୍କୁ ପଚାରୁଛନ୍ତି, ମାଆ ଏହି ରୀତି ନୀତି ଆପଣଙ୍କ ଘରେ  ହୁଏ ନାହିଁ ନା। ଏହାର ଉତ୍ତରରେ ଶାଶୁ କହୁଛନ୍ତି, ଝିଅକୁ ଖୁସି ରଖିବା ପ୍ରତ୍ୟେକ ଘରର ତ ପରମ୍ପରା। ଭିଡିଓରେ ହିନ୍ଦୁ-ମୁସଲିମ ପରିବାରକୁ ଏକତ୍ର ଦେଖାଯିବାକୁ ଚେଷ୍ଟା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.