ଥମୁନି ତାଣ୍ଡବ ବିବାଦ : ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ଘରେ ନୋଟିସ୍ ଲଗାଇଲା ମୁମ୍ବାଇ ପୋଲିସ
21/01/2021 at 7:08 PM

ମୁମ୍ବାଇ ୨୧/୦୧ : ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର୍ ଗତ କିଛି ଦିନ ହେଲା ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦରେ ରହିଆସୁଛନ୍ତି । ତାଣ୍ଡବର କିଛି ଦୃଶ୍ୟକୁ ନେଇ ଦର୍ଶକମାନେ ସୋସିଆଲ ମିଡିଆ ସମେତ ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି କରୁଛନ୍ତି । ଗତ କିଛିଦିନ ତଳେ ଉତ୍ତରପ୍ରଦେଶରେ ୱେବ୍ ସିରିଜ୍ ‘ତାଣ୍ଡବ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଏହାକୁ ନେଇ ବର୍ତ୍ତମାନ ଉତ୍ତର ପ୍ରଦେଶ ପୋଲିସ ନିର୍ଦ୍ଦେଶକ ଅଲ୍ଲୀ ଅବାସଙ୍କ ଘରେ ଏକ ନୋଟିସ୍ ଲଗାଇଛି । ଏହା ସହ ତାଙ୍କୁ ଜାନୁୟାରୀ ୨୭ ତାରିଖରେ ତାଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତର ପ୍ରଦେଶ ପୋଲିସ ଗତ ବୁଧବାର ଦିନ ତାଣ୍ଡବ ସିରିଜ୍ ମାମଲାରେ ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିଲା । ପୋଲିସ ଟିମ୍ର ଜଣେ ଅଧିକାରୀ ପଚାରଉଚରା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେ ଝରେ ନଥିଲେ । ସେଥିପାଇଁ ପୋଲିସ ତାଙ୍କ ଘର ବାହାରେ ନୋଟିସ୍ ଲଗାଇ ଫେରିଛି । ନୋଟିସରେ ତାଙ୍କୁ ଜାନୁଆରୀ ୨୭ ତାରିଖରେ ଲକ୍ଷ୍ନୌ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତାଣ୍ଡବ ୱେବ୍ ସିରିଜ୍କୁ ନେଇ ଲାଗି ରହିଥିବା ବିବାଦ ପାଇଁ କିଛି ଦିନ ପୂର୍ବେ ମୁହଁ ଖୋଲିଥିଲେ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫର୍ । ସୋସିଆଲ୍ ମିଡିଆରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ସେ ତାଙ୍କର ବୟାନରେ କହିଥିଲେ, ‘ ୱେବ୍ ସିରିଜ୍ ର କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ କୌଣସି ଘଟଣା ସହ ଏହାକୁ ତୁଳନା କରିବା ମାତ୍ର ଏକ ସଂଯୋଗ ଅଟେ ।’ ଏହା ଛଡା ତାଣ୍ଡବ ସିରିଜ୍ର ବିବାଦୀୟ ଦୃଶ୍ୟକୁ ବଦଳାଇବାକୁ ମଧ୍ୟ ସେ କହିଥିଲେ ।