ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ

Published By : Prameya-News7 Bureau | August 07, 2018 IST

ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ ହୋଇଛି | ୯୪ ବର୍ଷ ବୟସରେ ଆଜି କାବେରୀ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି | ରକ୍ତଚାପ କମିଯିବାରୁ ଗତ ଜୁଲାଇ ୨୮ ତାରିଖରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ । ୨୯ ତାରିଖ ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅସ୍ଥିର ଥିଲା । ଆଜି ସନ୍ଧ୍ୟା ୬ଟା ୧୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ସ୍ୱର୍ଗତ କରୁଣାନିଧି ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ଥିଲେ | ୧୯୫୭ ରୁ ୨୦୧୬ ମଧ୍ୟରେ ସେ କୌଣସି ନିର୍ବାଚନ ହାରିନଥିଲେ | ତାମିଲ ରାଜନୀତିରେ ତାଙ୍କୁ ଭୀଷ୍ମ ପିତାମହ ବୋଲି କୁହାଯାଏ | ତାଙ୍କ ମୃତ୍ୟୁରେ ତାମିଲନାଡୁ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ ବିୟୋଗ ଯୋଗୁ ତାମିଲନାଡ଼ୁରେ ସାତଦିନିଆ ସରକାରୀ ଛୁଟି ଘୋଷଣା କରା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାମିଲନାଡୁ ନାଗିପଟ୍ଟନମ୍ ଜିଲ୍ଲାର ଥିରୁକୁଭାଲାଇ ଗାଁରେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ ଏମ୍. କରୁଣାନିଧି । ୧୯୬୯ ମସିହାରେ ଆନ୍ନା ଦୁରାଇଙ୍କ ପରଲୋକ ପରେ ସେ ପ୍ରଥମଥର ପାଇଁ ଡ଼ିଏମକେ ନେତା ଭାବେ ତାମିଲ ନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ୧୯୫୭ ମସିହାରେ କୁଲିଥଲାଇ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ରେ ଆନ୍ନା ଦୁରାଇଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ ।ତାଙ୍କ ମୃତ୍ୟୁ ସହ ୧୪ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଏକ ଦୀର୍ଘ ରାଜନୈତିକ ଜୀବନର ଅବସାନ ଘଟିଛି । ରାଜନୀତି ବ୍ୟତୀତ ସେ ତାମିଲ ଚଳଚିତ୍ର ଜଗତର ଜଣେ ନାଁ କରା କାହାଣୀ ଲେଖକ ଥିଲେ । କରୁଣାନିଧିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଖ ପ୍ରକାଶ କରି କହିଛିନ୍ତି କରୁଣାନିଧି ତାମିଲ ନାଡ଼ୁ ପୋଲିଟିକ୍ସର ଜଣେ ''ଟଲେଷ୍ଟ ଲିଡ଼ର'' ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.