ଚୀନ୍ ଫେରିବାକୁ ବ୍ୟାକୁଳ ତାମିଲନାଡ଼ୁର ପରଟା କାରିଗର, ସେଠାରେ ମାସକୁ କମାଉଥିଲେ ଲକ୍ଷେ, ଏଠାରେ ଚଳାଉଛନ୍ତି ଅଟୋ
15/07/2020 at 3:55 PM

ରାମନାଥପୁରମ ୧୫।୭: ଚୀନ୍ରେ କରୋନା ପରିସ୍ଥିତି ସୁଧୁରିବା ପରେ ଜନଜୀବନ ସ୍ୱଭାବିକ୍ ହେଲାଣି। ବାଣିଜ୍ୟ ବ୍ୟବସାୟ ବି ଧିରେ ଧିରେ ଜମୁଛି। ହେଲେ କରୋନା ଭାଇରସ ମହାମାରୀ ଯୋଗୁ ସ୍ୱଦେଶ ଫେରିଆସିଥିବା ବୃତ୍ତିଜୀବୀମାନେ ଏବେ ଚିନ୍ତାରେ ପଡିଛନ୍ତି। ଏଥିରେ ଚୀନ୍ର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା ତାମିଲନାଡୁ ରାମନାଥପୁରମ ଓ ଆଖପାଖ ଅଞ୍ଚଳର ପରଟା ଓସ୍ତାଦମାନେ ନିଜନିଜ କର୍ମକ୍ଷେତ୍ରକୁ ପୁଣି ଫେରିବା ଲାଗି ବ୍ୟାକୁଳ ହେଉଥିବା ଜଣାପଡିଛି।

ତାମିଲନାଡୁ ରାସ୍ତାଘାଟରେ ବିକ୍ରି ହେଉଥିବା ପରଟା ଚୀନ୍ରେ ଡେଜର୍ଟ ଭଳି ପରସା ଯାଏ। ଏପରିକି କେତେକ ରେଷ୍ଟୁରାଣ୍ଟର ଏହା ମୁଖ୍ୟ ଖାଦ୍ୟ ମଧ୍ୟ। ତାମିଲନାଡୁ ରାମନାଥପୁରମ, ପୁଲିୟୁର ଓ ଆଖପାଖ ଅଞ୍ଚଳର ଏହି ପରଟା କାରିଗରଙ୍କୁ ଚୀନ୍ରେ ‘ଇନ୍ଦୁ ସୁଇ ବିଙ୍ଗ’ କୁହାଯାଏ। ଗତ ଜାନୁୟାରୀ ଓ ଫେବୃଆରୀମାସରେ କରୋନା ମହାମାରୀ ଯୋଗୁ ପ୍ରାୟ ୪୦୦ କାରିଗର ସ୍ୱଦେଶ ଫେରିଆସିଥିବା ବେଳେ ଏଠାରେ ସେମାନେ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।

ଚୀନ୍ରେ ଏହି କାରିଗରମାନେ ମାସିକ ସର୍ବନିମ୍ନ ୫୦ ହଜାର ଟଙ୍କା ଉପାର୍ଜନ କରିପାରୁଥିବା ବେଳେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ତେବେ ଚୀନରୁ ଫେରି ଗତ ୫ ମାସ ହେଲା ସେମାନେ ଘରେ ଖାଲି ବସିଛନ୍ତି। ଏଠାରେ ସେମାନଙ୍କ ଲାଗି ଉପାର୍ଜନର କୌଣସି ପନ୍ଥା ନଥିବା ବେଳେ ସେମାନଙ୍କ ଲାଗି ସରକାରଙ୍କର ଯୋଜନା ମଧ୍ୟ ନଥିବା ଜଣେ ଇନ୍ଦୁ ସୁଇବିଙ୍ଗ କହିଛନ୍ତି। ଏଣୁ ବାଧ୍ୟ ହୋଇ ସେ ଅଟୋ ରିକ୍ସାଟିଏ କିଣି ଆୟର ପନ୍ଥା କରିଛନ୍ତି। ହେଲେ ଏଥିରୁ ପରିବାର ଚଳିବା କଷ୍ଟର ବୋଲି ସେ ଜାଣିସାରିଲେଣି।

ସେମାନେ କରୋନା ଯୋଗୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ମହାମାରୀ ଥମିବା ପରେ ଫେରି ଯାଇଥାନ୍ତେ। ହେଲେ ଗଲୱାନ ଯୋଗୁ ଉପୁଜିଥିବା ପରିସ୍ଥିତିରେ ସେମାନଙ୍କର ପୁଣି ପୂର୍ବ କର୍ମକ୍ଷେତ୍ରକୁ ଫେରିବା ନେଇ ଅନିଶ୍ଟିତତା ଉପୁଜିଛି। ଗଲୱାନ ଉତ୍ତେଜନା ଯୋଗୁ ଭାରତ ଚୀନ୍ ଉପରେ କଟକଣା କଡାକଡି କରିଛି। ଏପିରି ଦେଶରେ ଚୀନ୍ ମୋବାଇଲ ଆପ୍ ସବୁ ମଧ୍ୟ ନିଷିଦ୍ଧ ହୋଇଛି। ଏଥିରେ ସେମାନେ କିପରି କର୍ମକ୍ଷେତ୍ରକୁ ଫେରିବେ ପରଟା କାରିଗରମାନେ ଚିନ୍ତାରେ ପଡିଯାଇଛନ୍ତି।