ବାପ ପୁଅଙ୍କୁ ଥାନାରେ ପିଟିପିଟି ମାରିଦେଲା ପୋଲିସ,ତାମିଲନାଡୁ ହୁଲୁସ୍ତୁଲ, ଶୁକ୍ରବାର ବନ୍ଦ

Published By : Prameya-News7 Bureau | June 25, 2020 IST

ଚେନ୍ନାଇ ୨୫।୬: ତାମିଲନାଡୁ ପୋଲିସ ହାଜତରେ ପିତା ଓ ପୁତ୍ରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଜନଅସନ୍ତୋଷ ଦେଖା ଦେଇଛି। ଲକଡାଉନ୍‌ରେ ଅନୁମତି ସମୟ ଠାରୁ ଅଧିକ ସମୟ ଦୋକାନ ଖୋଲାରଖିବା ଯୋଗୁ ଗତ ସପ୍ତାହରେ ପୋଲିସ ମୋବାଇଲ ଦୋକାନୀ ପିତାପୁତ୍ରଙ୍କୁ ଗିରଫ କରିଥିଲା। ତେବେ ପୋଲିସ ହାଜତରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ହାଜତରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ କରିଛନ୍ତି।  ଏହା ବିରୋଧରେ ଶୁକ୍ରବାର ସାରା ରାଜ୍ୟରେ ବ୍ୟବସାୟୀକ ବନ୍ଦ ଆହ୍ୱାନ ଦିଆଯାଇଛି।

ଷ୍ଟୋର ମାଲିକ ଜୟରାଜ ଓ ତାଙ୍କ ପୁଅଙ୍କ ଶବ ପୋଷ୍ଟମର୍ଟମ ପରେ ଗତ ରାତ୍ରିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ପରିବାର ଲୋକେ ସେମାନଙ୍କ ଶବ ନେବାକୁ ମନା କରିଦେଇଥିଲେ। ସେମାନଙ୍କ ମଳଦ୍ୱାର ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ ଚିହ୍ନ ଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ହତ୍ୟାକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜୟରାଜଙ୍କ ଝିଅ ଫାରସ୍ ଘଟଣାକୁ ଡବଲ ମର୍ଡର ବୋଲି କହିଥିବା ବେଳେ ପୋଲିସ ହାଜତରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା ବୋଲି କହିଛନ୍ତି ।  ଏଣୁ ଯେ ପର୍ଯ୍ୟନ୍ତ ଦାୟି ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଆମେ ଶବ ଗ୍ରହଣ କରିବୁନି ବୋଲି ସେ ସ୍ପଷ୍ଟ ମନା କରିଦେଇଥିଲେ।

ସନ୍ଥନକୁଲମରେ ମୋବାଇଲ ଦୋକାନ କରିଥିବା ଜୟରାଜ ଓ ତାଙ୍କ ପୁଅଙ୍କୁ ପୋଲିସ ଗତ ଶୁକ୍ରବାର ଗିରଫ କରିଥିଲା। ତେବେ ଦୁଇ ଜଣ ପଡିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ଏଫଆଇଆରରେ ଦର୍ଶାଇଯାଇଥିଲା। ତେବେ ଟୁଟିକୋରିନ୍‌ ପୋଲିସ ମୁଖ୍ୟ ଅରୁଣ ବାଲଗୋପାଲନ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ପୀଠରେ ମାମଲା ଉଠିଥିବା ବେଳେ ୩ ସରକାରୀ ଡାକ୍ତରଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ପୋଷ୍ଟମର୍ଟମର ଭିଡିଓଗ୍ରାଫି ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜ୍ୟ ଗୃହ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଇ.ପିଲାନୀସ୍ୱାମୀ ପ୍ରତ୍ୟେକ ମୃତକଙ୍କ ଲାଗି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମେତ ପରିବାରର ଜଣକୁ ଚାକିରୀ ଦିଆଯିବ ବୋଲି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.