ମଙ୍ଗଳବାର ‘ଭାରତ ବନ୍ଦ’: ବିନା ଅନୁମତିରେ ଆନ୍ଦୋଳନ କଲେ କଠୋର କାର୍ଯ୍ୟାନୁଷ୍ଠାନ, ତାଗିଦ୍ କଲେ ତାମିଲନାଡୁ ମନ୍ତ୍ରୀ
7/12/2020 at 6:10 PM

ନୂଆଦିଲ୍ଲୀ ୦୭/୧୨: ମଙ୍ଗଳବାର ଭାରତ ବନ୍ଦ। ବନ୍ଦ ଡାକରା ଦେଇଛି କୃଷକ ସଂଗଠନ। ଦିଲ୍ଲୀ ବର୍ଡରରେ ନୂଆ କୃଷି ନିୟମ ବିରୋଧରେ ଡେରା ପକାଇଛନ୍ତି ହଜାର ହଜାର ଚାଷୀ। ସରକାରଙ୍କ ସହ ୫ ଥର ଆଲୋଚନା ବିଫଳ ହେବା ପରେ ଚରମ ନିଷ୍ପତ୍ତି ନେଇଛି କୃଷକ ସଂଗଠନ। ତେବେ ଭାରତ ବନ୍ଦକୁ ବିଭିନ୍ନ ଦଳ ସମର୍ଥନ ଜଣାଇଛନ୍ତି।
ସିପିଆଇ (ଏମ), ସିପିଆଇ, ଆରଏସ୍ପି, ଡିଏମକେ, ଆରଜେଡି, ଏସପି, କଂଗ୍ରେସ, ଶିବସେନା ଭଳି ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ନଭେମ୍ବର ୮(ମଙ୍ଗଳବାର) ଭାରତ ବନ୍ଦର ତୀବ୍ର ପ୍ରଭାବ ପଡ଼ିବ ବୋଲି କୁହାଯାଉଥିବା ବେଳେ ଅନେକ ଦଳ ଏହାକୁ ବିରୋଧ ମଧ୍ୟ କରୁଛନ୍ତି।
ଅନ୍ୟପଟେ ତାମିଲନାଡୁ ଏଆଇଡିଏମକେ ନେତା ତଥା ମନ୍ତ୍ରୀ ଡି ଜୟକୁମାର ଭାରତ ବନ୍ଦକୁ ବିରୋଧ କରିଛନ୍ତି। ବିନା ଅନୁମତିରେ ଆନ୍ଦୋଳନ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜୟକୁମାର କହିଛନ୍ତି। ମଙ୍ଗଳବାର ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ଭାରତ ବନ୍ଦ କରିବେ କୃଷକ ସଂଗଠନ ସମେତ ସମର୍ଥିତ ରାଜନୈତିକ ଦଳ। ବିବାହ ଓ ଆମ୍ବୁଲାନ୍ସ ଛାଡ଼ି ଅନ୍ୟ ସମସ୍ତ ସେବାକୁ ବନ୍ଦ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ଏହା ସହ କୃଷକ ଚାହୁଁଥିବା ଦାବିକୁ ପୂରଣ କରିବା ସହ ସେମାନଙ୍କ ମୁଖ୍ୟ ଦାବି ୩ ନୂଆ କୃଷି ନିୟମକୁ ସରକାର ପ୍ରତ୍ୟାହର କରିନିଅନ୍ତୁ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ସେପଟେ ସମସ୍ତ ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳକୁ ବନ୍ଦ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କେନ୍ଦ୍ର ନିର୍ଦେଶ ଦେଇଛି। କରୋନା ନିୟମ ମାନିବା ସହ ସାମାଜିକ ଦୂରତା ନିୟମର ଯେମିତି ଖିଲାପ ନୁହେଁ ସେନେଇ ମଧ୍ୟ ତାଗିଦ କରିଛି କେନ୍ଦ୍ର।