ଆଦିବାସୀ ମହିଳାଙ୍କୁ ପ୍ରସାଦ ସେବନ କରିବାକୁ ବାରଣ କରିବା ସହ ମାଡ ମାରିଥିଲେ ମନ୍ଦିର କର୍ତ୍ତୃପକ୍ଷ, ଭିଡିଓ ଭାଇରାଲ ପରେ ମହିଳାଙ୍କ ସହ ବସି ଖାଇଲେ ମନ୍ତ୍ରୀ

Published By : Prameya-News7 Bureau | October 30, 2021 IST

ଚେନ୍ନାଇ ୩୦/୧୦ : ତାମିଲନାଡୁର ଏକ ପ୍ରସିଦ୍ଧ ମନ୍ଦିରରେ ବିସ୍ମିତ କରିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି । ମନ୍ଦିରରେ ଜଣେ ଆଦିବାସୀ ମହିଳାଙ୍କୁ (ଅନ୍ନଧାନମ୍‌) ପ୍ରସାଦ ସେବନ କରିବାକୁ ବିରୋଧ କରିବା ଏବଂ ମାଡ ମରାଯାଇଥିବାରୁ ତାମିଲନାଡୁ ସରକାରରେ ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ମନ୍ତ୍ରୀ ଖୁବ ବିରକ୍ତି ହୋଇଥିଲେ । ଏହା ପରେ ସେ ଯାହା କରିଥିଲେ ତାହାକୁ ଯେ କେହି ପ୍ରଶଂସା ନକରି ରହିପାରିବେନି । ମନ୍ତ୍ରୀ ପିକେ ସେଖର ବାବୁ ଉକ୍ତ ଆଦିବାସୀ ମହିଳାଙ୍କୁ ଡାକି ପାଖରେ ବସାଇ ନିଜେ ମନ୍ଦିର ପ୍ରସାଦ ପାଇବା ସହିତ ତାଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ ।

ଏଭଳି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ତାଜୁବ ହୋଇଯାଇଥିଲେ । ମହିଳା ଜଣଙ୍କୁ ପ୍ରସାଦ ସେବନ କରିବାକୁ ଅନୁମତି ନଦେଇ ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ମାଡ ମାରିଥିଲେ । ଆଦିବାସୀ ମହିଳାଙ୍କ ସମେତ ତାଙ୍କ ପିଲାଙ୍କୁ ମଧ୍ୟ ମାଡ ମରାଯାଇଥିଲା । ଘଟଣାର ପୁରା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ମନ୍ଦିର ପରିଚାଳନା କମିଟି ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । ସୋସିଆଲ ମିଡିଆରେ ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା ।

ପରେ ଶନିବାର ମନ୍ତ୍ରୀ ସେଖର ବାବୁ ମନ୍ଦିରରେଳ ପହଞ୍ଚି ଘଟଣା ବାବଦରେ ପଚାରି ବୁଝିଥିଲେ । ପରେ ସେହି ଆଦିବାସୀ ମହିଳାଙ୍କୁ ଚିହ୍ନଟ କରାଯାଇ ମନ୍ତ୍ରୀଙ୍କ ନିକଟକୁ ଡକାଯାଇଥିଲା । ପରେ ଯେଉଁ ମହିଳାଙ୍କୁ ମନ୍ଦିରର କିଛି କର୍ମଚାରୀ ପ୍ରସାଦ ଖାଇବାକୁ ମନା କରିଥିଲେ ଏବଂ ମାଡ ମାରିଥିଲେ, ତାଙ୍କ ସହିତ ମନ୍ତ୍ରୀ ସେଖର ବାବୁ ବସି ପ୍ରସାଦ ସେବନ କରିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଘଟଣା ବାବଦରେ ନିଜେ ପଚାରି ବୁଝିଛି । ସମସ୍ତଙ୍କୁ ମନ୍ଦିର ଯିବା ପାଇଁ ଅଧିକାର ଅଛି ଏବଂ ପ୍ରସାଦ ସେବନ କରିବାକୁ କେହି ମନା କରିପାରିବେ ନାହିଁ । ମନ୍ଦିର ପରିଚାଳନା କମିଟିକୁ ଏ ବାବଦରେ ସତର୍କ କରାଯାଇଛି । ପରବର୍ତ୍ତୀ ସମୟରେ ଏଭଳି କିଛି ଘଟଣା ଘଟିଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.