୧୦୦ ପ୍ରତିଶତ ଦର୍ଶକ ସହିତ ସିନେମାଘର ଖୋଲିବାକୁ ମଞ୍ଜୁରୀ ଦେଲା ତାମିଲନାଡୁ, କେନ୍ଦ୍ର କହିଲା- ପ୍ରତ୍ୟାହାର କର ନିଷ୍ପତ୍ତି
6/01/2021 at 9:18 PM

ଚେନ୍ନାଇ ୦୬।୦୧: କରୋନା ମହାମାରୀ ମଧ୍ୟରେ ତାମିଲନାଡୁ ସରକାର ୧୦୦ ପ୍ରତିଶତ ଦର୍ଶକ କ୍ଷମତା ସିନେମାଘର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ କେନ୍ଦ୍ର ସରକାର ତାମିଲନାଡୁ ସରକାରଙ୍କୁ କହିଛନ୍ତି। ଏଆଇଏଡିଏମକେ ସରକାରଙ୍କ ଏହି ପଦକ୍ଷେପ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଥିରେ କରୋନା ମାମଲା ବୃଦ୍ଧି ଆଶଙ୍କା କରି ଏହି ମଞ୍ଜୁରୀ ଫେରାଇ ନେବାକୁ କେନ୍ଦ୍ର କହିଛି।
ଗୃହ ମନ୍ତ୍ରଣାଳୟ କହିଛି, କୌଣସି ବି ରାଜ୍ୟ ସରକାର କେନ୍ଦ୍ର ଦ୍ଵାରା ଜାରି କରୋନା ଭାଇରସ୍ ସଂକ୍ରମଣ ପାଇଁ ଜାରି ଗାଇଡ୍ଲାଇନ୍କୁ ହାଲୁକା ନେଇ ପାରିବେ ନାହିଁ କି ବଦଳେଇ ପାରିବେ ନାହିଁ। କେନ୍ଦ୍ର କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୦ ଡିସେମ୍ବର ୨୮ରେ ଜାରି ଗାଇଡ୍ଲାଇନ୍ ଅନୁଯାୟୀ ରାଜ୍ୟ କରୋନା ନିୟମ ପାଳନ କରିବା ଉଚିତ୍।
ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୮, ୨୨, ୩୭୦ରେ ପହଞ୍ଚିଛି। ଏଥିରୁ ୮,୦୨,୩୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨, ୧୭୭ ରହିଛି। ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା ବର୍ତ୍ତମାନ ୭୮୦୮ ରହିଛି।