ମାଦ୍ରାସ ହାଇକୋର୍ଟ ଦୋକାନରେ ମଦ ବିକ୍ରି ଉପରେ ଲଗାଇଲେ ବ୍ୟାନ୍, ରାୟକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ ତାମିଲନାଡୁ ସରକାର

Published By : Prameya-News7 Bureau | May 09, 2020 IST

ଚେନ୍ନାଇ ୦୯।୦୫: ତାମିଲନାଡୁରେ ଦୋକାନରେ ମଦ ବିକ୍ରି ଉପରେ ମାଦ୍ରାସ ହାଇକୋର୍ଟ ଲଗାଇଥିବା ରୋକ୍‌ ବିରୋଧରେ ଶନିବାର ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି ହାଇକୋର୍ଟ ଶୁକ୍ରବାର ଦେଇଥିବା ଆଦେଶ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ହାଇକୋର୍ଟ ନିଜର ଆଦେଶରେ ରାଜ୍ୟରେ ଅନଲାଇନ୍‌ ମଦ ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟ ସରକାର ଅପିଲ୍‌ରେ କହିଛନ୍ତି, ହାଇକୋର୍ଟ ମଦ ଦୋକାନ  ବାହାରେ ସାମାଜିକ ଦୂରତା ନିର୍ଦ୍ଦେଶର ଉଲ୍ଲଂଘନ ହେଉଥିବା ନେଇ ତାମିଲନାଡୁ ଷ୍ଟେଟ୍ କର୍ପୋରେସନର ମଦ ଦୋକାନ ଖୋଲିବା ଉପରେ ରୋକ୍ ଲଗାଇଛନ୍ତି। ମାତ୍ର ବାସ୍ତବ ଏହା ଯେ, ରାଜ୍ୟ ପ୍ରଶାସନ ଏହି ଦୋକାନ ବାହାରେ ସାମାଜିକ ଦୂରତ୍ଵ ନିୟମର ପାଳନ କରାଉଛନ୍ତି।

{"id":267256,"sizeSlug":"large"}

ଆବେଦନକାରୀ ଦାବି କରିଛନ୍ତି ଯେ, ଯେଉଁ ଲୋକ ସାମାଜିକ ଦୂରତ୍ଵ ନିୟମ ପାଳନ କରୁ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି। ଆବେଦନରେ କୁହାଯାଇଛି, ତାମିଲନାଡୁରେ ମଦ ବିକ୍ରି ବନ୍ଦ ହେଲେ ରାଜ୍ୟ ସୀମାରେ ସମସ୍ୟା ସୃଷ୍ଟି ହୋଇପାରେ। କାରଣ ପଡୋଶୀ ରାଜ୍ୟରେ ମଦ ବିକ୍ରି ଜାରି  ରହିଛି। ତେଣୁ ମଦ କିଣିବା ଲାଗି ରାଜ୍ୟର ଲୋକ ସୀମାବର୍ତ୍ତୀ ରାଜ୍ୟ ଯାଇ ପାରନ୍ତି, ଯାହା କରୋନା ସଙ୍କଟ ବଢାଇବାର ଆଶଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ମାଦ୍ରାସ ହାଇକୋର୍ଟ ମଦ ଦୋକାନ ବାହାରେ ସାମାଜିକ ଦୂରତ୍ଵ ନିୟମ ଉଲ୍ଲଂଘନ ହେଉଥିବା ଦେଖି ଅନଲାଇନ୍‌ରେ ମଦ ବିକ୍ରିକୁ ପ୍ରାଥମିକତା ଦେଇଥିଲେ। ରାଜ୍ୟ ସରକାର ଅନଲାଇନ୍‌ରେ ମଦ ବିକ୍ରି ଉପରେ ବିଚାର କରନ୍ତୁ ବୋଲି ଉଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଥିଲେ। ଏହା ବିରୋଧରେ ଆଜି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.