Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌ : ସଂକ୍ରମଣର ବୃଦ୍ଧି ଯୋଗୁଁ ନିଆଗଲା ନିଷ୍ପତ୍ତି

30/06/2020 at 9:43 AM

ଚେନ୍ନାଇ ୩୦।୦୬: ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି  । ଯାହାକୁ ନେଇ ସାରା ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଏବେ ଧୀରେ ଧୀରେ ନିଜର କଟକଣା ବଢାଇବାରେ ଲାଗିଛନ୍ତି । ଖାସ୍‌ କରି ସଂକ୍ରମଣ ବଢିଥିବା ରାଜ୍ୟଗୁଡିକରେ ଲକ୍‌ଡାଉନ୍‌ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ମହାରାଷ୍ଟ୍ର ଲକ୍‌ଡାଉନ୍‌ ଅବଧି ବଢାଇବା ନେଇ ଘୋଷଣା କରିଥିବା ବେଳେ ତାମିଲନାଡୁ ସରକାର ପୁଣି ଥରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ମିଆଦ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ଜୁଲାଇ ୩୧ ଯାଏ ଲକ୍‌ଡାଉନ୍‌ ବଢାଇବାକୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ମିଆଦ ବୃଦ୍ଧି କରାଯାଇଥିଲା। ଉଲ୍ଲେଖନୀୟ, ଦେଶରେ କରୋନା ସଂକ୍ରମିତ ମାମଲାରେ ତାମିଲନାଡୁ ମଧ୍ୟ ଅଧିକ ଆକ୍ରାନ୍ତ ରହିଛନ୍ତି ।

ତାମିଲନାଡୁ ସରକାର କରୋନାଭାଇରସ୍ ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ବୃଦ୍ଧି କରିଛନ୍ତି। ଚେନ୍ନାଇ ଏବଂ କାଞ୍ଚିପୁରମ୍, ଚେଙ୍ଗାଲପାଟ୍ଟୁ ଏବଂ ଥିରୁଭାଲୁଭର୍ ସମେତ ମଦୁରାଇ , ଗ୍ରେଟର ଚେନ୍ନାଇ ପୋଲିସ୍ ସୀମା (ଚେନ୍ନାଇ)ରେ ଜୁଲାଇ ୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କଟକଣା ଜାରି ରଖିଛନ୍ତି । ତାମିଲନାଡୁର ଏହିସବୁ ଅଞ୍ଚଳରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡା ଆଇନ୍‌ କଟକଣା ଲଗାଇଛନ୍ତି । ଯାହା ବର୍ତ୍ତମାନ ବୃଦ୍ଧି କରାଯାଇଛି | ଏହାପୂର୍ବରୁ ମହାରାଷ୍ଟ୍ର ସରକାର 31 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାମିଲନାଡୁରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ମାମଲାକୁ ଦେଖି ନିଷ୍ପତ୍ତି ନିଆଯାଇଛି। ସୋମବାର ଦିନ ତାମିଲନାଡୁରେ ୩,୯୪୯ ଟି ନୂଆ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ରିପୋର୍ଟ କରାଯାଇଛି । ଏହା ପରେ ରାଜ୍ୟରେ କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ୮୬,୦୦୦ ଅତିକ୍ରମ କରିସାରିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ହେତୁ ଆଉ ୬୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୧,୧୪୧କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ, ସୋମବାର ରିପୋର୍ଟ ହୋଇଥିବା ୩,୯୪୯ ଟି ନୂତନ ମାମଲା ମଧ୍ୟରୁ କେବଳ ଚେନ୍ନାଇରୁ ୨,୧୬୭ ସଂକ୍ରମଣ ମାମଲା ରହିଛି। ଏହା ବ୍ୟତୀତ ଚେଙ୍ଗାଲପେଟରେ ୧୮୭ ଟି, ଥିରୁଭାଲୁରରେ ୧୫୪ ଏବଂ ମଦୁରାଇରେ ୩୦୩ ଟି ମାମଲା ରେକର୍ଡ ହୋଇଛି।

ଲକ୍‌ଡାଉନ୍ ସମୟରେ ବିଦ୍ୟାଳୟ, କଲେଜ, ମଲ୍, ରିସର୍ଟ, ଲଜ୍, ସିନେମା ହଲ୍ ଏବଂ ବାର୍ ବନ୍ଦ ରହିବ ଏବଂ ସହରାଞ୍ଚଳରେ ଧାର୍ମିକ ସମାବେଶ ଏବଂ କାର୍ଯ୍ୟକ୍ରମ ନିଷେଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ନୀଳଗିରି, କୋଡାଇକାନାଲ ପରି ଅନେକ ପର୍ଯ୍ୟଟନ ସ୍ଥଳରେ ଅଣ-ବାସିନ୍ଦା ତଥା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାତ୍ରା ଅନୁମତି କରିପାରିବେ ନାହିଁ ।  ଚେନ୍ନାଇ, ମଦୁରାଇ ଏବଂ ଏହି ଦୁଇ ସହରର ଆଖପାଖ ଅଞ୍ଚଳ ପାଇଁ ଜୁଲାଇ ୬ ରୁ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା କଟକଣାକୁ ୩୧ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ ।

ଏହାପୂର୍ବରୁ, ତାମିଲନାଡୁ ସରକାରଙ୍କୁ କୋଭିଡ -୧୯କୁ  ନିୟନ୍ତ୍ରଣ  ପାଇଁ ପରାମର୍ଶ ଦେବା ପାଇଁ ଗଠିତ ବିଶେଷଜ୍ଞ କମିଟି ତରଫରୁ ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ମଙ୍ଗଳବାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇନଥିଲା।  କିନ୍ତୁ  ଏହି କମିଟି କେତେକ କ୍ଷେତ୍ରରେ ପରିସ୍ଥିତି ଅନୁଯାୟୀ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଥିଲା।

   Related Posts