ମଧ୍ୟ ପ୍ରଦେଶରେ ରାଜନୀତି ଚଳଚଞ୍ଚଳ: ଅଚାନକ ଦିଲ୍ଲୀ ଯାତ୍ରା କଲେ ନରୋତ୍ତମ, ‘ବିପଦ’ରେ ଶିବରାଜଙ୍କ ଗାଦି !

Published By : Prameya-News7 Bureau | June 29, 2020 IST

ଭୋପାଳ ୨୯।୦୬: ମଧ୍ୟ ପ୍ରଦେଶର ଗୃହ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ନରୋତ୍ତମ ମିଶ୍ର ସୋମବାର ଅଚାନକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। କୁହାଯାଉଛି ଯେ ପାର୍ଟି ହାଇକମାଣ୍ଡଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀରୁ ଡକରା ଆସିଛି। ନରୋତ୍ତମ ଆଜି ଗ୍ଵାଲିୟର ଯିବାର କାର୍ଯ୍ୟକ୍ରମ ଥିଲା, ହେଲେ ହାଇକମାଣ୍ଡଙ୍କ ପକ୍ଷରୁ ଡକରା ଆସିବା ମାତ୍ରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଖବର ଅନୁଯାୟୀ ପାର୍ଟି ନେତୃତ୍ଵ ମଧ୍ୟପ୍ରଦେଶରେ ନେତା ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ଏହି କ୍ରମରେ ନରୋତ୍ତମଙ୍କୁ ରାଜଧାନୀ ଡକାଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଜ୍ୟ ସଭାପତି ଭିଡି ଶର୍ମା ଓ ବରିଷ୍ଠ ନେତା ସୁହାସ ଭଗତ ରବିବାରଠୁ ଦିଲ୍ଲୀରେ ଅଛନ୍ତି। ସମସ୍ତେ ରାଜ୍ୟ ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି। ସୋମବାର ସକାଳ ସୁଦ୍ଧା ଖବର ଆସିଥିଲା ଯେ, କେନ୍ଦ୍ରୀୟ ନେତାଙ୍କ ସହ ଶିବରାଜଙ୍କ ହୋଇଥିବା ବୈଠକରେ ସମ୍ଭାବିତ ମନ୍ତ୍ରୀଙ୍କ ନାମ ଚୂଡାନ୍ତ ହୋଇଛି ଏବଂ ଜୁନ ୩୦ରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ଖବର ଏହା ମଧ୍ୟ ଆସୁଛି ଯେ, ଶିବରାଜଙ୍କ ପସନ୍ଦର ଅତି କମରେ ୫ ଚେହେରାଙ୍କୁ ନୂତନ ମନ୍ତ୍ରିମଣ୍ଡଳ ତାଲିକାରୁ ବାଦ୍ ଦିଆଯାଇଛି। କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ପାର୍ଟି ନେତୃତ୍ଵ ମଧ୍ୟ ପ୍ରଦେଶରେ ଶିବରାଜଙ୍କ ଜାଗାରେ ଅନ୍ୟ କାହାଙ୍କୁ  ଦାୟିତ୍ଵ ଦେବା ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନ ଅଦ୍ୟାବଧି ନିଜର କ୍ୟାବିନେଟ୍ ଗଠନ କରି ପାରି ନାହାନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ୨୨ ପୂର୍ବତନ ବିଧାୟକ ବିଜେପିରେ ଏଣ୍ଟ୍ରି ହେବା ପରେ ବିଭିନ୍ନ ଗୋଷ୍ଠୀ ସହ  ତାଳମେଳ ରଖିବା ଶିବରାଜଙ୍କ ପକ୍ଷେ ମୁସ୍କିଲ ହୋଇ ପଡିଛି। କ୍ୟାବିନେଟ୍ ବିସ୍ତାରରେ ଏହା ସବୁଠୁ ବଡ ବାଧା ସୃଷ୍ଟି କରିଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ପାର୍ଟିରେ ସନ୍ତୁଳନ  ବଜାୟ ରଖିବା ଲାଗି ପାର୍ଟିର କେନ୍ଦ୍ରୀୟ ନେତୃତ୍ଵ ଶିବରାଜଙ୍କ ବିକଳ୍ପ ଖୋଜିବା ଉପରେ  ବିଚାର କରୁଛନ୍ତି।

କ୍ୟାବିନେଟ୍ ମନ୍ତ୍ରୀ ହୋଇ ପାରନ୍ତି ଶିବରାଜ !

ନରୋତ୍ତମ ମିଶ୍ର ସୋମବାର ଦିଲ୍ଲୀ ଯାତ୍ରା କରିଛନ୍ତି, ମାତ୍ର ଭୋପାଳରେ ରବିବାର ବିଳମ୍ବିତ ରାତିରୁ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନକୁ ନେଇ ମାହୋଲ ସରଗରମ ରହିଛି। କୁହାଯାଉଛି, ଶିବରାଜ ସିଂହ ଚୌହ୍ଵାନଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ କରାଯାଇପାରେ ଏବଂ ଅନ୍ୟ କାହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇ ପାରେ। ଶିବରାଜ ସିଂହଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଶପଥ ପାଠ କରାଇବାର ଚର୍ଚ୍ଚା ରାଜଧାନୀରେ ଜୋର୍ ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.