ଶକ୍ତିଶାଳୀ ହେଉଛି ଅଲକାଏଦା, ଚିନ୍ତାରେ ଆମେରିକା: ତାଲିବାନକୁ ଚେତାବନୀ ଦେଲେ ବାଇଡେନଙ୍କ ମନ୍ତ୍ରୀ

Published By : Prameya-News7 Bureau | September 16, 2021 IST

କାବୁଲ ୧୬/୦୯:  ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ବଳିଆନ୍‌ ହେଉଛି ଅଲକାଏଦା । ଏପରିକି ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ପୁଣି ଥ​‌ରେ ଆମେରିକା ଉପରେ ଆକ୍ରମଣ କରିବାକୁ ସମର୍ଥ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହା ପରେ ଆମେରିକାର ଚେତା ପଶିଛି । ଯଦି ଅଲକାଏଦା ଆମେରିକାକୁ ଧମକ ଦିଏ ତେବେ ସେଥିପାଇଁ ତାଲିବାନ ଦାୟୀ ରହିବ ବୋଲି ୟୁଏସ୍‌ ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ଚେତାବନୀ ଦେଇଛନ୍ତି ।

ଆଫଗାନିସ୍ତାନ ଧରିତ୍ରୀ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର  ହୋଇପାରିବ ନାହିଁ ବୋଲି କହିଥିଲା ତାଲିବାନ। ଆମେରିକା କିମ୍ବା ଅନ୍ୟ ଦେଶକୁ ଅଲକାଏଦ ଆଫଗାନିସ୍ତାନରୁ ଧମକ ଦେଇପାରିବ ନାହିଁ । ଏନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ବୋଲି ବ୍ଲିଙ୍କନ କହିଛନ୍ତି। ତେଣୁ ଆଫଗାନିସ୍ତାନ ପ୍ରତିଶ୍ରୁତିକୁ ନେଇ ପ୍ରତିବଦ୍ଧତା ଦେଖାଇବା ଦରକାର ବୋଲି ସେ କହିଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଆମେ ତାଙ୍କ ଉପରେ ଭରସା କରୁଛୁ। ଦରକାର ପଡ଼ି​ଲେ ଆମେ ନିଜେ ଏହା ଉପ​‌ରେ ନଜର ରଖିବୁ। ଜରୁରୀ ହେଲେ ଆମେ ଧମକର କଡ଼ା ଜବାବ ଦେବୁ ବୋଲି ମଧ୍ୟ ବ୍ଲିଙ୍କନ କହିଛନ୍ତି।

ସୂଚନାଯୋଗ୍ୟ, ୯/୧୧ ଭଳି ଆକ୍ରମଣ କରି ଆମେରିକାକୁ ଦୋହଲାଇ ଦେଇଥିବା ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ପୁଣି ଥ​‌​‌ରେ ମଜଭୁତ ହେଉଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଆଗାମୀ ବର୍ଷେ କି ଦୁଇ ବର୍ଷରେ ଅଲକାଏଦା ଏତେ ଶକ୍ତିଶାଳୀ ହୋଇଯିବ ଯେ, ଆମେରିକା ଉପରେ ପୁଣି ଆକ୍ରମଣ କରିପାରିବ। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଅଲକାଏଦା ନିଜର ଗତିବିଧି ବୃଦ୍ଧି କରିଥିବା ରିପୋର୍ଟରେ ଦାବି ହୋଇଛି। ଚାରି ଦିନ ପୂର୍ବରୁ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜବାହିରିର ଭିଡିଓ ସାମ୍ନାକୁ ଆସିବା ପ​‌ରେ ଏହି ରିପୋର୍ଟ ଚିନ୍ତାର କାରଣ ପାଲଟିଛି। ତେବେ ଏହି ରିପୋର୍ଟ ଆସିବା ପରେ ଏବଂ ଅଲକାଏଦା ମୁଖ୍ୟ ଆତ୍ମପ୍ରକାଶ କରିବା ପରେ ଆମେରିକାର ନିଦ ହଜିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.