ଘାନି ରାଷ୍ଟ୍ରପତି ପଦ ଛାଡ଼ିଲେ ଆମେ ଅସ୍ତ୍ର ଛାଡ଼ିବୁ, ଶାନ୍ତି ପ୍ରତିଷ୍ଠା ପାଇଁ ସର୍ତ୍ତ ରଖିଲା ତାଲିବାନ

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ ୨୩/୭: ଆଫଗାନିସ୍ତାନରେ ଏକତରଫା ଶାସନ କରିବାକୁ ଚାହୁଁନାହିଁ ତାଲିବାନ। କିନ୍ତୁ ସରକାର ପରିବର୍ତ୍ତନ ଦରକାର ବୋଲି ଦାବି କରିଛି। କାବୁଲରେ ଆଲୋଚନା କରିପାରୁଥିବା ସରକାର ଗଠନ ନହେଲେ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଅଶରଫ ଘାନିଙ୍କୁ ଗାଦିଚ୍ୟୁତ ନକଲେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ନ୍ୟୁଜ ଏଜେନ୍ସି ଏପିକୁ କହିଛି ତାଲିବାନର ପ୍ରବକ୍ତା  ସୁହୈଲ ଶାହୀନ ।

ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆଫଗାନିସ୍ତାନ କବଜା ଜୋରଦାର କରିଛି। ତାଲିବାନ ଅନେକ ଷ୍ଟ୍ରାଟେଜିକ୍‌ କ୍ରସିଂ ଉପରେ କବଜା କରିଛି। ଏବେ ଅନେକ ରାଜ୍ୟ ରାଜଧାନୀକୁ କାବୁ କରିବାକୁ ମାଡ଼ି ଚାଲିଛି ତାଲିବାନ। ଏହା ସହ ସୁହୈଲ ଆହୁରି ମଧ୍ୟ କହିଛି, ଯେତେବେଳେ କାବୁଲରେ ସମସ୍ତଙ୍କ ସମର୍ଥିତ ସରକାର ଗଠନ ହେବ ଏବଂ ଘାନିଙ୍କ ସରକାର ଚାଲିଯିବ ସେତେବେଳେ ତାଲିବାର ଅସ୍ତ୍ର ଛାଡ଼ିଦେବ । ସତ୍ତା ହାତେଇଥିବା ନେଇ ଘାନିଙ୍କ ଉପରେ ଅଭିଯୋଗ କରିଛି  ଶାହୀନ।

୨୦୧୯ ନିର୍ବାଚନରେ ଘାନି ଧୋକା ଦେଇ ଶାସନକୁ ଆସିଛନ୍ତି। ନିର୍ବାଚନ ଫଳାଫଳ ପରେ ଘାନି ଏବଂ ଅବଦୁଲା ଅବଦୁଲା ଦୁଇ ଜଣ ନିଜକୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି। ପରେ ବୁଝାମଣା ହୋଇଗଲା ଏବଂ ଅବଦୁଲା ସରକାର ନମ୍ବର ଦୁଇକୁ ଚାଲିଗଲା ବୋଲି ଶାହୀନ କହିଛି। ସେପଟେ ନୂଆ ସରକାର ନଆସିବା ଯାଏ ଘାନି ରାଷ୍ଟ୍ରପତି ରହିବେ ବୋଲି କହିଛନ୍ତି। ଆଫଗାନିସ୍ତାନରେ ତାଲିବାନ ବ୍ୟତୀତ ରାଷ୍ଟ୍ରପତି ଘାନିଙ୍କୁ ନେଇ ସର୍ବଦା ବିଶୃଙ୍ଖଳା ହେଉଛି ।

ଏହା ସହ ଦୋହାରେ ଆଲୋଚନା ଜାରି ରହିଛି। ଘାନିଙ୍କ ସରକାର ଯୁଦ୍ଧ ବିରାମ କଥା କହୁଛନ୍ତି ଯାହାକି ତାଲିବାନ ପାଇଁ ଆତ୍ମସମର୍ପଣ ଭଳି। ସେ ଶାନ୍ତି ଚାହୁଁନାହାନ୍ତି ବରଂ ତାଲିବାନର ଆତ୍ମସମର୍ପଣ ଚାହୁଁଛନ୍ତି ଯାହାକି ଅସମ୍ଭବ ବୋଲି ସୁହୈଲ ଶାହୀନ କହିଛି। ଆଫଗାନିସ୍ତାନରେ ଶାନ୍ତି ପାଇଁ ତାଲିବାନର ସର୍ତ୍ତ, ‘କୌଣସି ପ୍ରକାର ଯୁଦ୍ଧ ବିରାମ ପାଇଁ ତାଲିବାନ ଏବଂ ଅନ୍ୟ ଆଫଗାନୀଙ୍କ ସହମତିରେ ନୂଆ ସରକାର ଗଠନ ନେଇ ବୁଝାମଣା ହେବା ଦରକାର। ଏହା ପରେ କୌଣସି ଯୁଦ୍ଧ ହେବ ନାହିଁ। କେହି ଯୁଦ୍ଧ ଚାହୁଁନାହାନ୍ତି। ଆମେ ବି ଯୁଦ୍ଧା ଚାହୁଁନାହୁଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.