ହକ୍କାନୀ ନେଟଓ୍ବର୍କ୍ ବ୍ୟାନକୁ ନେଇ ଆମେରିକାକୁ ତାଲିବାନର ଧମକ : କହିଲା ‘ସୁଧୁରି ଯାଅ ନଚେତ୍‌ ପରିସ୍ଥିତି ଭୟଙ୍କର ହେବ’

Published By : Prameya-News7 Bureau | September 09, 2021 IST

କାବୁଲ ୦୯/୦୯ : ଆଫଗାନିସ୍ତାନରେ ନୂଆ ତାଲିବାନ ସରକାରକୁ ନେଇ ଚିନ୍ତା ବ୍ୟକ୍ତ କରିଛି ଆମେରିକା । କେବଳ ଆମେରିକା ନୁହେଁ ବିଶ୍ବର ଅନେକ ଦେଶ ଏବେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଟେନସନ୍‌ରେ ପଡିଯାଇଛନ୍ତି । ଆଫଗାନିସ୍ତାନ ସରକାରକୁ ନେଇ ଆମେରିକା କହିବା କଥା ଯେ, ଯେଉଁମାନଙ୍କୁ ସରକାରରେ ମନ୍ତ୍ରୀ କରାଯାଇଛି କିମ୍ବା ବଡ ବଡ ପଦବୀରେ ରଖାଯାଇଛି ସେମାନଙ୍କର ଟ୍ରାକ୍‌ ରେକର୍ଡ ଆଦୌ ଭଲ ନାହିଁ । ଅର୍ଥାତ ବିଶ୍ବର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ତାଲିବାନ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଛନ୍ତି ।

ତେବେ ଆମେରିକାର ଏଭଳି ବୟାନକୁ ନେଇ ଭଡକିଛି ତାଲିବାନ । ଆମେରିକାକୁ ତାଗିଦ କରିବା ସହିତ ତାଲିବାନ ସଫାସଫା କହିଛି ଯେ, ଏଭଳି ବୟାନ ଗ୍ରହଣୀୟ ନୁହେଁ ଏବଂ ତାଲିବାନକୁ କୌଣସି ପରିସ୍ଥିତିରେ ବ୍ୟାନ୍‌ ଲଗାଇବାକୁ ବରଦାସ୍ତ କରାଯିବ ନାହିଁ । ଏଭଳି ବୟାନରୁ ଆମେରିକା ବିରତ ରହୁ ନଚେତ୍‌ ସ୍ଥିତି ଭୟଙ୍କର ହେବ । ତାଲିବାନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ‘ହକ୍କାନୀ ନେଟଓ୍ବର୍କକୁ ନେଇ ଆମେରିକା ଯେଉଁଭଳି ଭାବେ ବୟାନ ଦେଇଛି ତାହା ଦୋହା ଏଗ୍ରିମେଣ୍ଟର ଉଲ୍ଲଂଘନ କରୁଛି । ଆଫଗାନିସ୍ତାନ କିମ୍ବା ହକ୍କାନୀ ନେଟଓ୍ବର୍କକୁ ନେଇ କୌଣସି ବୟାନ ଦେବାରୁ ବିରତ ରହୁ ଆମେରିକା ।’

ତାଲିବାନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ହକ୍କାନୀଙ୍କ ପରିବାର ମଧ୍ୟ ଇସଲାମିକ୍‌ ଅମୀରତର ଅଂଶ । ସେ କୌଣସି ଅଲଗା ପରିସ୍ଥିତିରେ ମଧ୍ୟ ଅଲଗା ନୁହନ୍ତି । ତେଣୁ ଦୋହା ଏଗ୍ରିମେଣ୍ଟ ଅନୁଯାୟୀ ଇସଲାମିକ୍‌ ଅମୀରତର ସମସ୍ତ ସଦସ୍ୟ ସଂଯୁକ୍ତ ରାଷ୍ଟ୍ର ଏବଂ ଆମେରିକାର ବ୍ଲାକ୍‌ଲିଷ୍ଟରୁ ତୁରନ୍ତ ହଟାଯିବା ଆବଶ୍ୟକ । ଏହି ଦାବି ଦୀର୍ଘଦିନ ହେଲା କରାଯାଉଥିଲେ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସଦ୍ୟ ଗଠିତ ହୋଇଥିବା ତାଲିବାନ ସରକାରରେ ଏମିତି ଅନେକ ନାଁ ରହିଛି ଯେଉଁମାନଙ୍କୁ କି ସଂଯୁକ୍ତ ରାଷ୍ଟ୍ର, ଅନ୍ତର୍ଜାତୀୟ ଆତଙ୍କବାଦୀ ଲିଷ୍ଟରେ ସାମିଲ କରିଛି ଏବଂ ସେମାନଙ୍କ ଉପରେ ଆମେରିକା ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ତେବେ ସବୁଠାରୁ ଅଧିକ ବିବାଦୀୟ ଆତଙ୍କବାଦୀ ହେଉଛି ସିରାଜୁଦ୍ଦୀନ ହକ୍କାନୀ । ଯାହାକୁ କି ତାଲିବାନ ସରକାର​‌ରେ  ଗୁରୁତ୍ବପୂର୍ଣ୍ଣ ଆଭ୍ୟନ୍ତରୀଣ ମନ୍ତ୍ରୀ ପଦ ମିଳିଛି । ସିରାଜୁଦ୍ଦୀନ ହକ୍କାନୀ ବିରୁଦ୍ଧରେ ଆମେରିକା ୧୦ ମିଲିୟନ ଡଲାର ପୁରସ୍କାର ରାଶି ରଖିଛି । ବର୍ତ୍ତମାନ ହକ୍କାନୀ ନେଟଓ୍ବର୍କର ମୁଖ୍ୟ ରହିଛି ସିରାଜୁଦ୍ଦୀନ ହକ୍କାନୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.