ଆମେରିକାର କଡା ଚେତାବନୀ ପରେ ଆଫଗାନରେ ଫସିଥିବା ୨୦୦ ନାଗରିକଙ୍କୁ ଛାଡିବାକୁ ରାଜିହେଲା ତାଲିବାନ

Published By : Prameya-News7 Bureau | September 09, 2021 IST

କାବୁଲ ୦୯/୦୯ : ଆଫଗାନିସ୍ତାନ​‌ରେ ତାଲିବାନ ସରକାର ଗଠନ ହୋଇସାରିଛି । ସରକାରରେ ସାମିଲ ହୋଇଥିବା ତଥା ବଡ ବଡ ପଦବୀରେ ରହିଥିବା ଅନେକ ମନ୍ତ୍ରୀ, ଜାତିସଂଘ ଦ୍ବାରା ବ୍ଲାକ୍‌ ଲିଷ୍ଟ୍‌​‌ରେ ସାମିଲ ଅଛନ୍ତି । ଅର୍ଥାତ ଏମାନଙ୍କୁ ଜାତିସଂଘ ଦ୍ବାରା ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଘୋଷଣା କରାଯାଇସାରିଛି । ଏହାରି ମଧ୍ୟରେ ଅନେକଗୁଡିଏ ପ୍ରଶ୍ନ ଏବେ ଛିଡା ହୋଇଛି । ତାଲିବାନ ସରକାର ଗଠନ ହେବାପରେ ସେଠାରେ ଏଣିକି ଆଫଗାନିସ୍ତାନ ବାସିନ୍ଦାଙ୍କ ଭବିଷ୍ୟତ କେଉଁଆଡକୁ ଯିବ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡାହୋଇଛି ।

ଏହାରି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଫଗାନିସ୍ତାନରେ ଫସିରହିଥିବା ପ୍ରାୟ ୨୦୦ ଜଣ ଆମେରିକା ଏବଂ ଅନ୍ୟ ଦେଶର ଲୋକମାନଙ୍କୁ ନିଜ ନିଜ ଦେଶକୁ ଯିବାକୁ ଅନୁମତି ଦେଇଛି ତାଲିବାନ । ପ୍ରବଳ ଚାପ ଏବଂ କଡା ଆଭିମୁଖ୍ୟ ପରେ ତାଲିବାନ ଅନ୍ୟ ଦେଶର ପ୍ରାୟ ୨୦୦ ଜଣ ନାଗରିକଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଇଛି । ଆମେରିକା ପକ୍ଷରୁ ପୂର୍ବରୁ ଫସିରହିଥିବା ନାଗରିକଙ୍କୁ ଉଦ୍ଧାରକାର୍ଯ୍ୟ ପରେ ମଧ୍ୟ କିଛି ନାଗରିକ ଆଫଗାନିସ୍ତାନରେ ରହିଯାଇଥିଲେ ।

ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନକୁ କବ୍‌ଜା କରିନେଇଥିଲା ତାଲିବାନ । ଏହାପରେ ଆମେରିକୀୟ, ଭାରତୀୟ ତଥା ଅନ୍ୟ ଦେଶର ନାଗରିକଙ୍କୁ ସେଠାରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ଆଫଗାନିସ୍ତାନରୁ ତାଲିବାନ କବଳରୁ ସୁରକ୍ଷିତ ଭାବେ ଲକ୍ଷେରୁ ଉର୍ଦ୍ଧ୍ବ ଲୋକଙ୍କୁ ଫେରାଇ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଥିଲେ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ କରି ନିଜ ଦେଶକୁ ଫେରିଯିବା ପାଇଁ ଆମେରିକାକୁ ଚେତାବନୀ ଦେଇଥିଲା ତାଲିବାନ । ଏହାପରେ ଅଗଷ୍ଟ ୩୦ ତାରିଖ ରାତିରେ ହିଁ ଆମେରିକାର ଶେଷ ବିମାନ ଉଡାଣ ଭରିଥିଲା ।  କିନ୍ତୁ ଆଉ ମଧ୍ୟ କିଛି ନାଗରିକ ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ଫସିରହିଥିଲେ । ସେମାନଙ୍କ ସୁରକ୍ଷିତ ଭାବେ ଛାଡିବା ପାଇଁ ତାଲିବାନକୁ ତାଗିଦ କରିଥିଲା ଆମେରିକା । ଯାହାଫଳରେ ଆଜି ସେମାନଙ୍କୁ ଛାଡିବାକୁ ଅନୁମତି ଦେଇଛି ତାଲିବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.