ବୟସ ମାତ୍ର ୩ ! ଜିଭ ଅଗରେ ସବୁ ଉତ୍ତର, ଜାଣନ୍ତୁ କେଉଁଠି
19/10/2019 at 10:26 PM

ଫୁଲବାଣୀ ୧୯।୧୦: କୁନି ପିଲାମାନେ ପାଠ ପଢିବାକୁ ସ୍କୁଲ ହେଉ ବା ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ସଧାରଣତଃ ଅମଙ୍ଗ ହୋଇଥାନ୍ତି। ହେଲେ ସେହି ବୟସର ୨ଟି କୁନି କୁନି ଝିଅ କିନ୍ତୁ ବିଲକ୍ଷଣ ପ୍ରତିଭାର ଅଧିକାରୀ। କନ୍ଧମାଳ ଜିଲ୍ଲା ବ୍ରେକା ଗ୍ରାମର ମାତ୍ର ୩ ବର୍ଷର ଦୁଇ ଶିଶୁଙ୍କ ପାଖରେ ଦେଖିବାକୁ ମିଳିଛି ଅନନ୍ୟ ପ୍ରତିଭା, ଯାହା ଏବେ ସମସ୍ତଙ୍କୁ ବିସ୍ମିତ କରୁଛି।

ଟିକାବାଲି ବ୍ଲକର ଦୁର୍ଗମ ତଥା ନିପଟ ମଫସଲ ଅଞ୍ଚଳ ପିକରଡି ପଞ୍ଚାୟତର ବ୍ରେକା ଅଙ୍ଗନବାଡି କେନ୍ଦ୍ରକୁ ପ୍ରତ୍ୟହ ଆସୁଛନ୍ତି ଏହି ଦୁଇଟି ୩ ବର୍ଷ ବୟସ୍କ ଶିଶୁ ଲକ୍ଷ୍ମୀବତୀ ଓ ଅଲିଭା। ସେମାନଙ୍କ ଜିଭ ଅଗରେ ରହିଛି ସବୁ ପ୍ରଶ୍ନର ଉତର। ଅଙ୍ଗନବାଡି ଦିଦିଙ୍କ ନାଁଠୁ ଆରମ୍ଭ କରି ପଞ୍ଚୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟର ନାମସହ ଅନେକ କିଛି ଅର୍ନଗଳ କହିଯାଉଛନ୍ତି ଏ ଦୁଇ କୁନି ଝିଅ। କୁହାଯାଉଛି ଅଙ୍ଗନବାଡି କେନ୍ଦ୍ରର ଦିଦି ଓ ପାଚିକାଙ୍କ ଉତ୍ସାହ ଯୋଗୁ ସେମାନଙ୍କ ଠାରେ ଏହା ସମ୍ଭବ ହୋଇଛି।

ସରକାରଙ୍କ ଅଙ୍ଗନବାଡିକେନ୍ଦ୍ର ପାଠର ଏନ୍ତୁଡିଶାଳ ଏହା ପ୍ରମାଣିତ କରୁଛନ୍ତି ଏହି ଦୁଇ ଶିଶୁ। ବ୍ରେକା ଗ୍ରାମର ବେଣୁଧର ପ୍ରଧାନଙ୍କ ଝିଅ ଲକ୍ଷ୍ମୀବତୀ ପ୍ରଧାନ ଓ ସୁମନ୍ତ ମଲିକଙ୍କ ଝିଅ ଅଲିଭା ମଲିକ। ଏହି ଦୁଇଝିଅଙ୍କ ପ୍ରତିଭା ଏବେ ଜିଲ୍ଲାତମାମ୍ ଚର୍ଚ୍ଚ।ର ବିଷୟ ପାଲଟିଛି। ଦୁଇଝିଅର ଏଭଳି ପ୍ରତିଭା ଦେଖି ବାପା, ମା’ ମଧ୍ୟ ବେଶ୍ ଖୁସି। ତବେ, ବ୍ରେକା ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘରଟିଏ ଏଯାଏଁ ତିଆରି ହୋଇପାରି ନାହିଁ। ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର ।

ସେପଟେ ଗାଁରେ ଥିବା ଏହି ପ୍ରାଥମିକ ସ୍କୁଲକୁ ଗତବର୍ଷ ଠାରୁ ପିଲାଙ୍କ ଆସିବା ସଂଖ୍ୟା ହ୍ରାସ ହୋଇଥିଲା। ଏଣୁ ସରକାର ସ୍କୁଲଟିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ତବେ ଏହି ପିଲାମାନେ ପରବର୍ତୀ ସମୟରେ କେଉଁଠି ପଢିବେ ଆଉ ସେମାନଙ୍କ ଭବିଷ୍ୟତ କେମିତି ଗଢା ହେବ ତାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ଏବେଠୁ ଚିନ୍ତାରେ। ଏଣୁ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୂର୍ବପରି ପୁଣି ଚାଲୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।