ଅମାନିଆଙ୍କୁ ନେଇ ବଢିଲା ଚିନ୍ତା, ୨୬ରୁ ୬୦ ବର୍ଷ ବୟସ୍କ Covid ଆକ୍ରାନ୍ତଙ୍କ ମୃତ୍ୟୁ ହାର ୪୫%, ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ
14/10/2020 at 8:05 PM

ନୂଆଦିଲ୍ଲୀ ୧୪।୧୦: କରୋନାକୁ ହାଲୁକା ଭାବେ ଗ୍ରହଣ କରିବା ଏବେ ଦେଶରେ ଯୁବବର୍ଗ ଓ କମ ବୟସ୍କଙ୍କ ଲାଗି ବପିଦଜନକ ସାବ୍ୟସ୍ତ ହେଉଛି। ଏଥିଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସତର୍କ କରାଇଛନ୍ତି। ଏବେ ସଂକ୍ରମଣ ଯୋଗୁ କମ୍ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିବା ମନ୍ତ୍ରାଳୟ କହିଛନ୍ତି। ଦେଶରେ କୋଭିଡ ସଂକ୍ରମିତ ହୋଇଥିବା ୨୬ରୁ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହାର ୪୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚିତ କରିଛନ୍ତି।

ଏପର୍ଯ୍ୟନ୍ତ ଦେଶରେ କରୋନାରେ କେବଳ ବୟସ୍କଙ୍କ ମୃତ୍ୟୁ ହେଉଥିବା ଲୋକେ ଭାବୁଛନ୍ତି। ଯାହା ଏବେ ଯୁବକ ଓ ଅଳ୍ପ ଆୟୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ଚିନ୍ତାର କାରଣ ପାଲଟିଛି। ଏଣୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଖାସ କରି ଯୁବ ବର୍ଗକୁ ସଚେତନ କରାଇଛନ୍ତି। କରୋନାକୁ ନେଇ ଥିବା ଭ୍ରମ ଧାରଣା ତୁରନ୍ତ ଦୂର କରିବା ସହ ସତର୍କତା ଅବଲମ୍ବନ କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି। କରୋନା ସବୁ ବୟସ ଓ ସବୁ ବର୍ଗର ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ସମସ୍ତଙ୍କ ଲାଗି ଘାତକ ହୋଇପାରେ ବୋଲି ସତର୍କ କରାଇଛନ୍ତି। ଦେଶରେ ପ୍ରାଣ ହରାଇଥିବା ଏହି ଆୟୁବର୍ଗର ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ପୁରୁଷ ହୋଇଥିବା ବେଳେ ମହିଳାଙ୍କ ପ୍ରତିଶତ ୩୦ ରହିଛି। ଏଥିରୁ ୫୩ ପ୍ରତିଶତ ୬୦ ବର୍ଷରୁ ଅଧିକ ଆୟୁବର୍ଗର ବୋଲି ମନ୍ତ୍ରାଳୟଙ୍କ ତଥ୍ୟରୁ ଜଣାପଡିଛି।

ସାରା ଦେଶରେ କରୋନା ସଂକ୍ରମଣ ହାର ବଢିବଢି ଚାଲିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୭୨ ଲକ୍ଷ ୪୪ ହଜାର ୧୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେବି ବିଭିନ୍ନ ହସ୍ପିଟାଲରେ ୮ଲକ୍ଷ ୨୭ ହଜାର ୩୭୩ ରୋଗୀ ଚିକିତ୍ସାଧିନ ଅଛନ୍ତି। ସଂକ୍ରମଣ ଯୋଗୁ ୧ଲକ୍ଷ ୧୦ ହଜାର ୬୮୬ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୯ କୋଟି ପରୀକ୍ଷଣ ହେଲାଣି। ପ୍ରତ୍ୟେକ ଦିନ ସାରା ଦେଶରେ ୧୦ରୁ ୧୨ ଲକ୍ଷ ଟେଷ୍ଟିଂ ହେଉଛି। ଏଥିରୁ ସର୍ବାଧିକ ଟେଷ୍ଟିଂ ଉତ୍ତରପ୍ରଦେଶ ଓ ବିହାରରେ ହୋଇଛି। ଏ କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନା କଲେ ଚୀନ୍ ସର୍ବାଧିକ ୧୬ କୋଟି ଟେଷ୍ଟିଂ କରିଛି। ୧୨.୫କୋଟି ଟେଷ୍ଟିଂ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ତୃତୀୟ ସ୍ଥାନରେ ରହିଛି।