ଯଦି ପୂଜାରେ ପ୍ଲାନିଙ୍ଗ ଅଛି ଆଉଟିଂର ତେବେ ଆଗରୁ ପଇସା ଉଠାଇ ରଖନ୍ତୁ ପାଖରେ, ଏଟିଏମ ଦେଇପାରେ ଧୋକ୍କା
5/10/2019 at 7:50 PM

ଦେଶରେ ପୂଜା ଅବକାଶ ଆରମ୍ଭ ହୋଇଗଲାଣି। ଦୂରରେ ରହୁଥିବା ଲୋକେ ପରିବାରକୁ ଭେଟିବା ଲାଗି ଘରକୁ ଫେରିବା ସହ କେହି କେହି ପୂଜାରେ ଭ୍ରମଣ ଯୋଜନା ବି କରିଛନ୍ତି। ତେବେ ଆପଣ ଯଦି ପୂଜା ଅବକାଶରେ ଭ୍ରମଣ ପ୍ଲାନିଙ୍ଗ କରିଛନ୍ତି, ତେବେ ଆଗରୁ ପଇସା ଉଠାଇ ପାଖରେ ରଖନ୍ତୁ। ନଚେତ ବାହାରେ ଥିବା ବେଳେ ହୁଏତ ଏଟିଏମରୁ ଆପଣଙ୍କୁ ପଇସା ମିଳିନପାରେ। ଏଣୁ ଅଗ୍ରୀମ ସତର୍କତା ସ୍ୱରୂପ ପାଖରେ ପଇସା ରଖି ବୁଲାବୁଲି କରିବା ଭଲ।

ଚଳିତବର୍ଷ ଅକ୍ଟୋବର ମାସରେ ସର୍ବାଧିକ ଛୁଟି ରହୁଛି। ପର୍ବପର୍ବାଣୀ ସାଙ୍ଗକୁ ଅନ୍ୟ ଛୁଟି ଦିନ ରହୁଥିବା ଯୋଗୁ ବ୍ୟାଙ୍କ କାରବାର ମଧ୍ୟ ବନ୍ଦ ରହିବ। ଏଣୁ ବ୍ୟାଙ୍କ ବନ୍ଦ ଯୋଗୁ ଏଟିଏମ ମାନଙ୍କରେ ଟଙ୍କା ଭରିବାରେ ମଧ୍ୟ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଯେଉଁମାନେ ଛୁଟିରେ ଘରକୁ ଆସୁଛନ୍ତି ସେମାନଙ୍କ ଲାଗି ଅଲଗା କଥା। ହେଲେ ଯେଉଁମାନେ ପରିବାର ସହ ପର୍ଯ୍ୟଟନ ଲାଗି ଯାଉଛନ୍ତି ତେବେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

ଏହାମାନେ ନୁହେଁ ଯେ ପୂଜା ଲାଗି ବ୍ୟାଙ୍କମାନେ ସେମାନଙ୍କ ଏଟିଏମରେ ଟଙ୍କା ରଖିବେ ନାହିଁ। ଅନ୍ୟଦିନ ଭଳି ଏଟିଏମ ଏହି ଦିନମାନଙ୍କରେ ମଧ୍ୟ ଗ୍ରାହକଙ୍କୁ ସେବା ଯୋଗାଇଦେବେ। ହେଲେ ବ୍ୟାଙ୍କ ବନ୍ଦ ରହୁଥିବା ଯୋଗୁ ଏଟିଏମ ଉପରେ ଗ୍ରାହକଙ୍କ ଚାପ ବୃଦ୍ଧି ପାଇବ। ଏଣୁ ଏଟିଏମରୁ ଟଙ୍କା ଶିଘ୍ର ସରିବାର ଆଶଙ୍କା କରାଯାଉଥିବା ବେଳେ ସାଧାରଣ ଦିନ ଭଳି ଟଙ୍କା ଭରାଯିବାରେ ବିଳମ୍ବ ହୋଇପାରେ। ଏଣୁ ପାଖଆଖରେ ଅନ୍ୟ ଏଟିଏମ ନଥିଲେ ବାହାରେ ବୁଲାବୁଲି ବେଳେ ଖର୍ଚ୍ଚଲାଗି ଅସୁବିଧାର ସମ୍ମୁଖାନ ହେବାର ଆଶଙ୍କା ରହିଛି।