ଯଦି ଚୀନ ଆକ୍ରମଣ କରେ ତେବେ ଆମେ ଅନ୍ତିମ ଦିନ ଯାଏ ଲଢ଼େଇ ଜାରି ରଖିବୁ: ତାଇଓ୍ବାନ ମନ୍ତ୍ରୀ

Published By : Prameya-News7 Bureau | April 07, 2021 IST

ତାଇପେ ୭/୪:  ଚୀନ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଜୋସେଫ ଓ୍ବୁ । ଯଦି ଚୀନ ଆକ୍ରମଣ କରେ ତେବେ ତାଇଓ୍ବାନ ଅନ୍ତିମ ଦିନ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଓ୍ବୁ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ଚୀନର ସୈନ୍ୟ ଧମକ ସହ ଜୋରଦାର ଉଦ୍ୟମ ତାଇଓ୍ବାନବାସୀଙ୍କୁ ମିଶ୍ରିତ ସଂକେତ ଦେଉଛି। ଚୀନ ଦାବି କରୁଛି ତାଇଓ୍ବାନ ତାର ଭୂଭାଗ। ସୋମାବର ଦିନ  ତାଇଓ୍ବାନର ଏୟାରପୋର୍ଟରୁ  ଚୀନର ୧୦ଟି ଯୁଦ୍ଧ ବିମାନ ଉଡ଼ାଣ ଭରିଥିଲା। ଏହା ସହ ଯୁଦ୍ଧାଭ୍ୟାସ ପାଇଁ ତାଇଓ୍ବାନ ସୀମାରେ ଚୀନ ଏକ ଯୁଦ୍ଧ ଜାହଜ ରଖିଥିବା ମଧ୍ୟୁ ଓ୍ବୁ କହିଛନ୍ତି।

ଆମେ ବିନା ଦ୍ବିଧାରେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛୁ। ଯଦି ଯୁଦ୍ଧ କରିବାର ଆବଶ୍ୟକତା ପଡ଼େ ତେବେ ଆମେ କରିବୁ। ଅନ୍ତିମ ଦିନ ପର୍ଯ୍ୟନ୍ତ ଯଦି ନିଜର ସୁରକ୍ଷା କରିବାକୁ ପଡେ ତଥାପି ଆମେ କରିବୁ ବୋଲି ତାଇଓ୍ବାନ୍‌ ବୈଦେଶିକ ମନ୍ତ୍ରୀ କହିଛନ୍ତି।  ବିସ୍ତାରବାଦୀ ଚୀନ ନିଜର ହୀନ ଚକ୍ରାନ୍ତ ବଳରେ ବିଶ୍ବରେ ରାଜ କରିବାକୁ ଚାହୁଁଛି, ଏକଥା କାହାକୁ ଅଛପା ନାହିଁ। ତାଇଓ୍ବାନକୁ ନିଜର ଭୂଖଣ୍ଡ ଭାବୁଥିବା ଚୀନ ସେଠାକର ଲୋକତାନ୍ତ୍ରିକ ସରକାରକୁ ମାନ୍ୟତା ଦେଉନାହିଁ। ଏହା ସହ ଚୀନ ସହ ତାଇଓ୍ବାନର ମିଶ୍ରଣକୁ ଅନିଶ୍ଚିତ କାଳ ଯାଏ  ସ୍ଥଗିତ କରାଯାଇନପାରେ ବୋଲି ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି।

ସେପଟେ ଜୋସେଫ ଓ୍ବୁ କହିଛନ୍ତି, ‘ସେ ଏମିତି କହି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଥିବା ବେଳେ ତାଇଓ୍ବାନ ସୀମାରେ ଯୁଦ୍ଧ ବିମାନ ମୁତୟନ କରି ଆମ ଲୋକଙ୍କୁ ଭୟଭୀତ କରିବାକୁ ଚାହୁଁଛନ୍ତି।’ ଏହା ସହ ତାଇଓ୍ବାନ ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି, ‘ଚୀନ ତାଇଓ୍ବାନ ଲୋକଙ୍କୁ ମିଶ୍ରିତ ସଙ୍କେତ ପଠାଉଛି।’ ଚୀନ ସୈନିକଙ୍କ କ୍ଷମତାରେ ସୁଧାର ଆସିବା ଏବଂ ତାଇଓ୍ବାନ ପାଖାପାଖି ଡ୍ରାଗନ ସେନାର ଗତିବିଧି  ଆମେରିକା ପାଇଁ ଚିନ୍ତା ବଢ଼ାଇ ଦେଇଛି। ତାଇଓ୍ବାନ ଏବଂ ଚୀନ ୧୯୪୯ରେ ଗୃହଯୁଦ୍ଧ ମଧ୍ୟରେ ଅଲଗା ହୋଇଯାଇଥିଲେ । ଅଧିକରୁ ଅଧିକ ଲୋକମାନେ ମୁଖ୍ୟ ଭୂମି ସହ ଆର୍ଥିକ ଆଦାନ ପ୍ରଦାନ ଜାରି ରଖିବା ସହ ବାସ୍ତବ ସ୍ବାଧୀନତାରେ ରିହିବାକୁ ଦାବି କରୁଛନ୍ତି। କିନ୍ତୁ ଚୀନ ଏହାକୁ ନିଜର ବୋଲି ଭାବି ପୁଣି ଥରେ ମିଶାଇ ଦେବାକୁ ବଳ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ତାଇଓ୍ବାନ ଲଢ଼େଇ କରିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.