ଡ୍ରାଗନ୍‌କୁ ମାତ୍‌ ଦେବ ତାଇଓ୍ବାନ୍‌ ! ଚୀନ୍‌ ଆକ୍ରମଣକୁ ପ୍ରତିହତ କରିବା ଲାଗି ନେଲା ଏଭଳି ନିଷ୍ପତ୍ତି

Published By : Prameya-News7 Bureau | November 07, 2020 IST

ବେଜିଂ ୭/୧୧:  ଡ୍ରାଗ୍‌ନକୁ ମାତ ଦେବାକୁ ତାଇଓ୍ବାନ୍‌ ଫୁଲ୍‌ ପ୍ରସ୍ତୁତ ଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଆମେରିକା ତାଇଓ୍ବାନଙ୍କୁ ସମର୍ଥନ ଜଣାଉଥିବା ବେଳେ ଚୀନ ପାଇଁ କଣ୍ଟା ସାଜିଲାଣି ତାଇଓ୍ବାନ। ତାଇଓ୍ବାନକୁ ନିଜର ଅଂଶ ବୋଲି କହି ଅଧିକାର ସାବ୍ୟସ୍ତ କରିବାକୁ ଚୀନ ହୀନ ଚକ୍ରାନ୍ତ କରୁଥିବା ବେଳେ ତାଇଓ୍ବାନକୁ ଏହା ବିଲକୁଲ ପସନ୍ଦ ନାହିଁ।

ଚୀନ ଯେକୌଣସି ପଦକ୍ଷେପ ଉପରେ ତାଇଓ୍ବାନ କଡ଼ା ଆଭିମୁଖ୍ୟ ନେବାକୁ ପ୍ରସ୍ତୁତ ରହିଛି। ମିଳିଥିବା ସୂଚନା ଅନୁସାରେ ଚୀନ ଯେକୌଣସି ମୁହୂର୍ତ୍ତରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ। ତେବେ ଏନେଇ ତାଇଓ୍ବାନ ସମୁଦ୍ର ଉପକୂଳରେ ଆଣ୍ଟି ଲ୍ୟାଣ୍ଡିଂ ସ୍ପାଇକ୍‌ ଖଞ୍ଜିଛି।

{"id":357697,"sizeSlug":"large"}

ଦ ଏସିଆନ୍‌ ପୋଷ୍ଟ ଅନୁସାରେ ତାଇଓ୍ବାନ୍‌ ଏଭଳି ପଦକ୍ଷେପ ନିଜର ସୁରକ୍ଷା ପାଇଁ ନେଇଛି। ଆଣ୍ଟି ଲ୍ୟାଣ୍ଡିଂ ସ୍ପାଇକ୍‌ ଏକ ପ୍ରକାର ଲୁହା ଛଡ଼ ଯାହାକି କିନମେନ୍‌ ଦ୍ବିପର ସମୁଦ୍ର କୂଳରେ ତାଇଓ୍ବାନ୍‌ ଲଗାଇଛି। ଏହା ଦ୍ବାରା ଚୀନ ସେନା ଆଉ ସମୁଦ୍ର ତଟ ଦେଇ ତାଇଓ୍ବାନ୍‌ ପହଞ୍ଚିପାରିବ ନାହିଁ । କେବଳ ସେତିକି ନୁହେଁ ସ୍ପାଇକ୍ସର କିଛି ଦୂରରେ ଟ୍ୟାଙ୍କ ମୁତୟନ କରିଛି ତାଇଓ୍ବାନ୍‌।

ଏଭଳି ସମୟରେ ଚୀନ ଓ ତାଇଓ୍ବାନ୍‌ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଏହି ବିବାଦ ବଢ଼ିଥିଲା ଯେତେବେଳେ ଦୁଇଦେଶର ରାଜନୈତିକ ପରାମର୍ଶଦାତା ଫିଜିରେ ହାତାହାତି ହୋଇଥିଲେ। ସେପଟେ ଆମେରିକା ତାଇଓ୍ବାନକୁ ହାର୍ପୁନ୍‌ ପାଓ୍ବାର ଦେଇ ତାଇଓ୍ବାନ୍‌ର ସୈନ୍ୟ ଶକ୍ତି ବୃଦ୍ଧି କରୁଛି।

ଆମେରିକା ଓ ତାଇଓ୍ବାନ ମଧ୍ୟରେ ହୋଇଥିବା ସୈନ୍ୟ ଡିଲ୍‌ ଅନୁସାରେ ଏବେ ଆମେରିକା ତାଇଓ୍ବାନକୁ ୬୦ କୋଟି ଡଲାରର ସଶସ୍ତ୍ର ଡ୍ରୋନ୍‌ ବିକ୍ରି କରିବ। ତାଇଓ୍ବାନ୍‌ ପ୍ରତି ଆମେରିକାର ଆନ୍ତରିକତାକୁ ବିରୋଧ କରୁଛି ଚୀନ। ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଓ୍ବାଙ୍ଗ ବୋବିନ୍‌ ଏହି ଡିଲ୍‌ ରଦ୍ଦ କରିବାକୁ ଆମେରିକାକୁ କହିଥିଲେ। ତାଇଓ୍ବାନ୍‌ ଚୀନର ଅଂଶ ତେଣୁ ଘରୋଇ ମାମଲାରେ ଅନ୍ୟ ଦେଶର ହସ୍ତକ୍ଷେପ ବରଦାସ୍ତ କରାଯିବନି ବୋଲି ମଧ୍ୟ ଓ୍ବାଙ୍ଗ ଚେତାବନୀ ଦେଇଥିଲେ।

ଅନ୍ୟପଟେ ଯଦି ଏହି ଡିଲ୍‌ ରଦ୍ଦ ନକରାଯାଏ ତେବେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବା ସହ ତାଇଓ୍ବାନ ସହ ମଧ୍ୟ ସମ୍ପର୍କରେ ତିକ୍ତତା ଆସିବ ବୋଲି ଓ୍ବାଙ୍ଗ କହିଥିଲେ। ତେବେ ଆମେରିକା  ଦେଇଥିବା ହାର୍ପୁନ୍‌ ମିସାଇଲ୍‌ ବହୁ ଶକ୍ତିଶାଳୀ। ଭୂମି ଉପରେ ଲକ୍ଷ୍ୟ ଭେଦ କରିପାରିବା ସହ ଯୁଦ୍ଧପୋତ ଧ୍ବଂସ କରିବାର କ୍ଷମତା ରଖିଛି ହାର୍ପୁନ୍‌ ମିସାଇଲ୍‌। ଏହି ମିସାଇଲ୍‌ରେ ଜିପିଏସ୍‌ ସିଷ୍ଟମ ଥିବାରୁ ଏହା ଟାର୍ଗେଟକୁ ଖୋଜି ଖୋଜି ଧ୍ବଂସ କରିପାରିବ।

ସୂଚନାଯୋଗ୍ୟ, ଚୀନ ତାଇଓ୍ବାନକୁ ନିଜର ବୋଲି ଦାବି କରିବା ସହ ଏହାକୁ କବଜା କରିବା ପାଇଁ ଯୁଦ୍ଧ କରିବାକୁ ଧମକ ଦେଇଛି। ୧୯୪୯  ଗୃହଯୁଦ୍ଧ ବେଳେ ତାଇଓ୍ବାନ୍‌ ଚୀନଠୁ ଅଲଗା ହୋଇଯାଇଥିଲା। ଏହା ପରଠୁ ଉଭୟ ଦେଶଙ୍କ ମଧ୍ୟରେ ବିବାଦ ଲାଗି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.