ଥାନାକୁ ଗଲେ ତହସିଲ୍‌ଦାର ଓ ବିଧାୟକ- ଉଭୟ ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲେ

Published By : Prameya-News7 Bureau | October 04, 2019 IST

ବାଲେଶ୍ୱର ୦୪।୧୦- ପ୍ରଶାସନ ଭର୍ସେସ୍ ଲୋକ ପ୍ରତିନିଧି । ମୁହାଁମୁହିଁ ହୋଇଛନ୍ତି ତହସିଲଦାର ଓ ବିଧାୟକ । ସର୍ବସାଧାରଣଙ୍କ ସମ୍ମୁଖରେ ପରସ୍ପରକୁ ଗାଳି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ନୀଳଗିରିରେ । ଯାହାକି ସଂପୂର୍ଣ୍ଣ ବ୍ୟବସ୍ଥାକୁ ଅଚଳ କରିଦେଇଥିବା ବେଳେ ବିଧାୟକ ଅନଶନରେ ବସିଥିଲେ । ସନ୍ଧ୍ୟ ସମୟରେ ଉଭୟ ଥାନାକୁ ଯାଇଛନ୍ତି । ମହିଳା ତହସିଲଦାର ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରିଥିବା ବେଳେ ବିଧାୟକ ବି ତହସିଲ୍‌ଦାରଙ୍କ ବିରୋଧରେ ସମାନ ଅଭିଯୋଗ କରିଛନ୍ତି ।

ସରକାର ପ୍ରଶାସନିକ ସ୍ବଚ୍ଛତା ଏବଂ ଲୋକଙ୍କ ସୁବିଧା ପାଇଁ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ସତ୍ତ୍ବେ ବି ତହସିଲ ଅଫିସ ଭିତରେ ଏମିତି କିଛି ଦେଖିବାକୁ ମିଳିଛି। ଗୋଟିଏ ପଟେ ବାଲେଶ୍ବର ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁ ଏବଂ ଅନ୍ୟପଟେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଉଭୟଙ୍କ ମଧ୍ୟରେ ଚାଲିଛି ହାଇ ଭୋଲ୍ଟେଜ୍ ବାକ୍‌ ଯୁଦ୍ଧ।

ନା ତହସିଲଦାର ମାନିଲେ ୫-ଟିର ନିୟମ ନା ବିଧାୟକ ମାନିଲେ ଆଚରଣ ଉଚ୍ଚାରଣର ଶୃଙ୍ଖଳା। ଏପରିକି ଭୁଲିଗଲେ ସାମ୍ନାରେ ଜଣେ ମହିଳା ଅଛନ୍ତି। କଥା ଥିଲା କିଛି ଏମିତି ତହସିଲଦାରଙ୍କ ପକ୍ଷରୁ ନୀଳଗିରି କଚେରୀ ପରିସରରେ ଥିବା ମୋହରିରମାନଙ୍କ ଚାଳିଆ ଭଙ୍ଗା ଚାଲିଥିଲା। ମୋହରିରଙ୍କୁ ଥଇଥାନ ନକରି କାହିଁକି ଉଚ୍ଛେଦ କରାଯାଉଛି ପ୍ରତିବାଦ କରିଥିଲେ ବିଧାୟକ। ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା। ଯାହାକୁ ନେଇ ଧାରଣାରେ ବସିଥିଲେ ବିଧାୟକ। ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ସମର୍ଥନ କରି ଓକିଲ ସଂଘ, ମୋହରିର ସଂଘ, ବ୍ୟବସାୟୀ ଏବଂ ସାଧାରଣ ଲୋକେ ବି ଧାରଣାରେ ସାମିଲ ହୋଇଥିଲେ। ଏପରିକି ବିଧାୟକଙ୍କ ସମର୍ଥକ ମାନେ ତହସିଲଦାରଙ୍କୁ ତାଙ୍କ ଅଫିସ ଭିତରେ ତାଲା ପକାଇ ଦେଇଥିଲେ । ପରେ ପୋଲିସ ପହଞ୍ଚି ତାଲା ଖୋଲିଥିଲା । ଏହି ଘଟଣା ପରେ ତହସିଲଦାର ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । …

ବିଧାୟକଙ୍କ କହିବା କଥା ଥିଲା ପ୍ରଥମେ ମୋହରିର ଏବଂ ଆଇନଜୀବୀମାନଙ୍କୁ ଥଇଥାନ କରାଯିବ ଏବଂ ତାପରେ ସେହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ସେ କୁଆଡେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। କିନ୍ତୁ ହଠାତ୍ କାହାରିକୁ ନ ଜଣାଇ କାହିଁକି ଉଚ୍ଛେଦ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ସେପଟେ ଉଭୟ ଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଜଣାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ସରକାରୀ ଅଧିକାରୀ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏହା ପ୍ରଥମ ଘଟଣା ନୁହେଁ। କିନ୍ତୁ ଯିଏ ସୀମା ଉଲ୍ଲଂଘନ କରିଛନ୍ତି ତାଙ୍କୁ ତୁରନ୍ତ ଆଇନ ଅନୁଯାୟୀ ଦଣ୍ଡ ମିଳୁଥିଲେ ଏଭଳି ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.