ପଥର ଖାଦାନରେ ଚାଲିଥିଲା ବେଆଇନ ବ୍ଲାଷ୍ଟିଂ, ପହଞ୍ଚିଗଲେ ତହସିଲ୍‌ଦାର...

Published By : Prameya-News7 Bureau | May 11, 2021 IST

ଖଲ୍ଲିକୋଟ,୧୧/୦୫: ଛତ୍ରପୁର ପୋଲିସ ଓ ତହସିଲଦାର ମିଳିତ ଭାବେ ଏକ ପଥର କୁଆଁରି ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ତିନି ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।

ଗିରଫ ମାନେ ହେଲେ ଖଲ୍ଲିକୋଟ ଥାନା ଅଧିନ ପଥରା ଗ୍ରାମର ମଣ୍ଟୁ ରାଉତ, ରମ୍ଭା ଥାନା ଅଧିନ ଝରେଡି ରାଧାଗୋବିନ୍ଦ ଗ୍ରାମର ପ୍ରସନ୍ନ କୁମାର ନାହାକ ଓ ବୁଗୁଡ଼ା ଥାନା ଶାଳଵଣ ଗ୍ରାମର ଲକ୍ଷ୍ମୀ ନାରାୟଣ ସାହୁ । 

ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗ୍ରାମ ନିକଟରେ ଥିବା ପାହାଡ଼ରେ ଵେଆଇନ ଭାବେ ପଥର ବ୍ଲାଷ୍ଟିଂ ଚାଲିଥିବା ସମୟରେ ଛତ୍ରପୁର ପୁଲିସ ଓ ତହସିଲଦାର  ଆଚାନକ ଚଢ଼ଉ କରିଥିଲେ । ଏହି ଚଢ଼ଉ ସମୟରେ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏହା ମଧ୍ୟରେ ୬ଶହଟି ଜିଲେଟିନ ଷ୍ଟିକ୍, ୬ କେଜି ଏମୋନିୟମ ନାଇଟ୍ରେଟ, ୨୦ଟି ଡିଟୋନେଟର, ୨୫ଟି ଆଇରନ ରଡ଼, ବହୁମାତ୍ରାରେ ବିଦ୍ୟୁତ ତାର, ବ୍ଲାଷ୍ଟିଙ୍ଗରେ ବ୍ୟବହୃତ ଗୋଟିଏ ମେସିନ ଜବତ ହୋଇଛି ।

ଏନେଇ ଛତ୍ରପୁର ଥାନାରେ ୨୧୩/୨୧ ମାମଲା ରୁଜୁ ହେବା ସହ ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉ ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ତହସିଲଦାର ନୀଳ ମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.