ସରକାରଙ୍କ ବାରଣ ସତ୍ୱେ ଏକାଠି ହୋଇଥିଲେ ଅଢେଇ ଲକ୍ଷ ଜମାତ ସଦସ୍ୟ, ପାକିସ୍ତାନ ସାରା ବ୍ୟାପିଗଲା କରୋନା

Published By : Prameya-News7 Bureau | April 09, 2020 IST

ଲାହୋର, ୦୯|୦୪:  ପାକିସ୍ତାନରେ କରୋନା ସଂକ୍ରମଣର ପ୍ରଥମ ମାମଲା ଇରାନ ଜରିଆରେ ସିନ୍ଧ ପ୍ରାନ୍ତରେ ସାମ୍ନାକୁ ଆସିଥିଲା । ଏବେକିନ୍ତୁ ସାରା ଦେଶରେ ମାମଲା ସାମ୍ନାକୁ ଆସିଛି । ମୋଟ ସଂକ୍ରମଣର ଅର୍ଧାଧିକ ମାମଲା ପଞ୍ଜାବ ପ୍ରାନ୍ତରେ ରହିଛି । ଭାରତ ଓ ମାଲେସିଆରେ ତବଲୀଗୀ ଜମାତ ବିବାଦ ମଧ୍ୟକୁ ଆସିଥିବା ବେଳେ ପାକିସ୍ତାନରେ ମଧ୍ୟ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଭାରତର ନିଜାମୁଦ୍ଦୀନ ଭଳି ତବଲୀଗୀ ଜମାତର ଅନେକ ସଦସ୍ୟ ମାର୍ଚ୍ଚ ୧୦ରେ ପାକିସ୍ତାନର  ପଞ୍ଜାବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଥିରେ ୨ଲକ୍ଷ ୫୦ ହଜାରରୁ ଅଧିକ ସଦସ୍ୟ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ସଦସ୍ୟଙ୍କ ମଧ୍ୟରୁ ଏବେସୁଦ୍ଧା ୫୦୦ରୁ ଅଧିକ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି ।

ଡନ୍ ରିପୋର୍ଟ ଅନୁସାରେ, ପଞ୍ଜାବ ସରକାର ମନା କରିବା ସତ୍ତ୍ୱେ ରାୟବିଣ୍ଡ ସହରରେ ତବଲୀଗୀ ଜମାତର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ଅଢେଇ ଲକ୍ଷ ଲୋକ ସାମିଲ ହୋଇଥିଲେ । ଏହା ମଧ୍ୟରୁ ୩୦୦୦ରୁ ଅଧିକ ବିଦେଶୀ ଥିଲେ । ସେମାନେ ୪୦ଟି ଭିନ୍ନ ଭିନ୍ନ ଦେଶରୁ ଆସିଥିଲେ । ଏହାପରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ ହେବା ପରେ ସେମାନେ ପାକିସ୍ତାନରେ ଫସି ରହିଥିଲେ ।

ପଞ୍ଜାବ ପୋଲିସ ଅନୁସାରେ, ଜମାତର ଅନେକ ବଡ ପ୍ରଚାରକ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଏହାସହ ୨୦ ହଜାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ ରଖାଯାଇଛି । ୧୦ ହଜାରରୁ ଅଧିକଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି । ଜମାତକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନା କରାଯାଇଥିଲା । କିନ୍ତୁ ବାରଣ ସତ୍ୱେ କାର୍ଯ୍ୟକ୍ରମମ ଆୟୋଜନ କରାଯାଇଥିଲା । ଅଧିକ ଚାପ ପ୍ରୟୋଗ ପରେ ୬ ଦିନର କାର୍ଯ୍ୟକ୍ରମକୁ ୩ ଦିନ ପାଇଁ କରାଯାଇଥିଲା । ଏହାସହ ଜମାତ କ୍ୱାରେଣ୍ଟାଇନ ସେଣ୍ଟର କରିଥିବା କହିଥିଲା କିନ୍ତୁ ବାସ୍ତବରେ ଏପରି କିଛି ହୋଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.